କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଏହି ଯୋଜନା ଦ୍ୱାରା ରାଜ୍ୟର ବହୁ ଚାଷୀ ଉପକୃତ ହୋଇଛନ୍ତି । ଦେଶକୁ ମହିଳା, ଯୁବକ ଓ ଚାଷୀ ସମୃଦ୍ଧ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ସେକ୍ଟର-୧୩ ବିମାନ କ୍ଷେତ୍ର ନିକଟସ୍ଥ ପଡ଼ିଆରେ ଆୟୋଜିତ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ବକ୍ତବ୍ୟ ଦେଇଥିଲେ ।
ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସୁଥିବା ନେଇ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ଇସ୍ପାତ ସହର । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶହ ଶହ ଲୋକ ପଡ଼ିଆରେ ଏକାଠି ହୋଇଥିଲେ । ଅପରାହ୍ଣ ୪ଟାରେ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ବିମାନ କ୍ଷେତ୍ରରେ ପହଞ୍ଚିଥିଲେ । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ସମାବେଶ ସ୍ଥଳକୁ ଆସିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭୩୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମୋର ସରକାର ଗରିବ, ଚାଷୀ ଓ ମୂଲିଆଙ୍କ ସରକାର । ସେମାନଙ୍କ ଉନ୍ନତି ମୋର ପ୍ରଥମ ଲକ୍ଷ୍ୟ । ଚାଷୀ, କ୍ଷୁଦ୍ର ଚାଷୀ, ଭାଗ ଚାଷୀ ଓ ଶ୍ରମିକ ଏହି କାଳିଆ ଯୋଜନାରେ ଉପକୃତ ହୋଇଛନ୍ତି । ଚାଷୀଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା କରାଯାଇଛି । ସେମାନଙ୍କ ପିଲାମାନେ ଉଚ୍ଚତର ଶିକ୍ଷା ପାଇଁ ଆଉ ବଞ୍ଚିତ ହେବେ ନାହିଁ । ଏଣୁ ରାଜ୍ୟ ସରକାର ଅର୍ଥ ବହନ କରିବେ । ଚାଷୀଙ୍କୁ ୦%ରେ ଋଣ ଦିଆଯାଉଛି । ମିଶନ ଶକ୍ତିର ମହିଳାଙ୍କୁ ବିନା ସୁଧରେ ମଧ୍ୟ ଋଣ ମିଳୁଛି । ଚାଷୀମାନେ ଯେପରି ଋଣ ପାଇବାରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଏହି ସମାବେଶରେ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ୨୦ଜଣ ଚାଷୀଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.