ମାରାତ୍ମକ କରୋନା ଭାଇରସ୍ ଭୟ ଏବେ ସମଗ୍ର ଦେଶରେ ଦେଖିବାକୁ ମିଳିଛି । ଦେଶରେ ଏବେ କରୋନା ଭାଇରସ ସଙ୍କ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହି ମହାମାରୀରେ ୨ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କରୋନା ଭାଇରସର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏଠାରେ ଏଯାବତ୍ କୋଭିଡ୍-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିରେ ଏହି ମହାମାରୀକୁ ଅଟକାଇବା ପାଇଁ ଦେଶର ଅନ୍ୟତମ ବଡ ଧାର୍ମିକ ସଂସ୍ଥାନ ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟ ବି ବଡ ପଦକ୍ଷେପ ନେଇଛି ।
କୋଭିଡ୍-୧୯ ମହାମାରୀକୁ ରୋକିବା ପାଇଁ ସାଇବାବା ସଂସ୍ଥାନ ଟ୍ରଷ୍ଟ୍ ଶିରିଡି ସାଇଙ୍କ ଦର୍ଶନ ପାଇଁ ନଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କିଛିଦିନ ପାଇଁ ଭକ୍ତମାନେ ସେମାନଙ୍କ ଯାତ୍ରାକୁ ସ୍ଥଗିତ ରଖିବାକୁ ଆଜି ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟର ଚିଫ୍ ଏକଜିକ୍ୟୁଟିଭ୍ ଅଫିସର ଅରୁଣ ଡୋଙ୍ଗେର କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରରେ ଥିବା ସମସ୍ତ ସଦସ୍ୟଙ୍କୁ ମାସ୍କ ଯୋଗାଇ ଦେବା ସହ ମନ୍ଦିର ଭିତରେ ଥିବା ସମସ୍ତ ଭକ୍ତଙ୍କୁ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଇଥିଲା ।
ଏହାସହ ଭକ୍ତମାନେ ଠିଆ ହେଉଥିବା ରେଲିଂକୁ ପ୍ରତି ୩୦ମିନିଟରେ ଥରେ ସଫା କରାଯାଉଥିବା କଥା ମଧ୍ୟ କୁହାଯାଇଛି । ଏହାସହିତ ମହାରାଷ୍ଟ୍ର ସରକାର ଏହି ମହାମାରୀ ବ୍ୟାପିବାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ, କଲେଜ, ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସମେତ ସୁଇମିଂ ପୁଲ ଓ ମଲକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି । ଏଥିସହିତ ଲୋକଙ୍କୁ ଜନଗହଳିପୂର୍ଣ୍ଣସ୍ଥାନଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ସହ ସଚେତନତା ଅବଲମ୍ବନ କରିବାକୁ କୁହାଯାଇଛି ।
