Odia News Portal

ସମ୍ବଲପୁରରେ ଯୁବତୀ ଚାଲାଣ ଗ୍ୟାଙ୍ଗର ମୁଖ୍ୟ ଗିରଫ

ସମ୍ବଲପୁର : ସମ୍ବଲପୁରରୁ ଯୁବତୀଙ୍କୁ ସୁଦୁର ରାଜସ୍ଥାନରେ ବିକ୍ରି କରିବା ପରେ,ଏବେ ନୂତନ ଯୁବତୀ ସଂନ୍ଧାନରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି, ଟାଉନ୍‌ଥାନା ପୋଲିସ୍‌। ହେଲେ ଏବେ ମଧ୍ୟ ଏହି ମାମଲାର ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ହେଲେ ପୋଲିସ୍‌ର କହିବା ହେଲା, ରାଜସ୍ଥାନରେ ବିବାହ ଯୋଗ୍ୟ ମହିଳାଙ୍କ ସଂଖ୍ୟା କମ୍‌ ଥିବାରୁ, ଓଡିଶାରୁ ଏହି ଯୁବତୀ ଚାଲାଣ ରାକେଟ୍‌ ସକ୍ରିୟ ରହିଛି । ସମ୍ବଲପୁର ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ, ପ୍ରଥମେ ନିଶା ଦେଇ ବେହୋସ୍‌ କରିବା,ତା ପରେ ତାକୁ ନେଇ ଭୁବନେଶ୍ବର ଯିବା ଓ ସେଠାରୁ ରାଜସ୍ଥାନ ଝୁନ୍‌ଝୁନ୍‌ୱାଲା ଅଞ୍ଚଳରେ ବିକ୍ରି କରାଯିବା ଗୁମର ଧିରେ ଧିରେ ଫିଟୁଛି।

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରମୋଦ ସାହୁକୁ, ସମ୍ବଲପୁର ଟାଉନ୍‌ଥାନା ପୋଲିସ୍‌ ନୟାଗଡ ରଣପୁର ଅଞ୍ଚଳରୁ ଉଠାଇ ଆଣିଛି। ପ୍ରମୋଦ ପେଶାରେ ଜଣେ ଅଟୋଡ୍ରାଇଭର ହୋଇଥିବା ବେଳେ, ଯୁବତୀ ଚାଲାଣ କରି ରାତାରାତି ଧନୀ ହେବାର ଲୋଭ ତାକୁ ଏହି ରାକେଟ୍‌ରେ ସର୍ଦ୍ଦାର ସଜାଇଛି।  ପ୍ରମୋଦର କହିବା ହେଲା, ଯେ ଧମା ଅଞ୍ଚଳର ଯୁବତୀ ଜଣକୁ ସେ ଜଣେ ମହିଳାଙ୍କ ସହ ଭୁବନେଶ୍ବର ରେଳଷ୍ଟେସନ୍‌ରେ ଦେଖିଥିଲା। ତା ସହ କଥାବାର୍ତ୍ତା ହେବାପରେ, ସେ ତାକୁ ନିଜ ଘରକୁ ନେଇ ରଖିଥିଲା। ଏହାପରେ ସଂପୃକ୍ତ ଯୁବତୀକୁ, ରାଜସ୍ଥାନ ନେଇ ସେଠାରେ ଜଣେ ବ୍ୟକ୍ତି ସହ ବିବାହ କରିବା ପରେ,କିଛି ଟଙ୍କା ନେଇ ଓଡିଶା ଫେରି ଆସିଥିଲା। ହେଲେ ସେ ଯୁବତୀକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଇନଥିବା ସେ କହିଛି। ହେଲେ ପୋଲିସ୍‌ କହିଛି ଯେ, ପ୍ରମୋଦ ଓ ତାର ଜଣେ ସଂପର୍କୀୟ ଭଉଣୀ, ଯୁବତୀଙ୍କୁ ବିକ୍ରି କରି,ଦେଢଲକ୍ଷ ଟଙ୍କା ଆଣି ପରସ୍ପର ମଧ୍ୟରେ ବାଣ୍ଟି ଦେଇଛନ୍ତି ।