୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ ତାହା ସ୍ପଷ୍ଟ କରାଯାଇଛି। ଏଥିସହ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା, ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ, ଛାତ୍ରଛାତ୍ରୀ ବ୍ୟାଗ୍ ପକାଇବା ସମୟରେ ଯେପରି ଦୁଇ କାନ୍ଧକୁ ବ୍ୟବହାର କରିବେ ସେଥିପ୍ରତି ସ୍କୁଲ ଦୃଷ୍ଟି ଦେବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ଗାଇଡଲାଇନରେ କୁହାଯାଇଛି ଯେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ବିଦ୍ୟାଳୟରେ ସେମାନଙ୍କୁ ମାତ୍ର ଦୁଇଟି ବିଷୟ ଯଥା ମାତୃଭାଷା ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ, ପରିବେଶ ବିଜ୍ଞାନ, ଇଂରାଜୀ ଓ ମାତୃଭାଷା ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ। ସ୍କୁଲରେ ପାନୀୟ ଜଳ ସୁବିଧା କରାଯିବ। ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି। ସେହିପରି ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ। ଏଥିସହ ପିଲାଙ୍କୁ ହୋମୱାର୍କ ଦିଆଯିବା ଉପରେ କଟକଣା ଲଗାଯାଇଛି।