ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟିକାକରଣରେ ନିଜକୁ ସାମିଲ କରିଛନ୍ତି । ଶାସ୍ତ୍ରୀ ଅହମ୍ମଦାବାଦର ଆପୋଲୋ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଖୋଦ୍ ଶାସ୍ତ୍ରୀ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଏହାସହ ଶାସ୍ତ୍ରୀ ବୈଜ୍ଞାନିକ ଓ ହସ୍ପିଟାଲର ମେଡିକାଲ୍ ଟିମକୁ ପ୍ରଶଂସା କରିଛନ୍ତି।
ଶାସ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲି। ମହାମାରୀ କରୋନା ବିରୋଧରେ ଭାରତକୁ ସଶକ୍ତ କରାଇବା ପାଇଁ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ। ଆପୋଲୋ ହସ୍ପିଟାଲରେ କାନ୍ତାବେନ୍ ଓ ତାଙ୍କ ଟିମର କାମରେ ମୁଁ ଖୁବ୍ ପ୍ରଭାବିତ।’ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନୁଯାୟୀ, ଭାରତୀୟ ଟିମର ସହଯୋଗୀ ଷ୍ଟାଫର ଅନ୍ୟ କୌଣସି ସଦସ୍ୟ ଟିକା ନେଇନାହାନ୍ତି। ସୂଚନାଯୋଗ୍ୟ, ଭାରତରେ ସୋମବାରଠାରୁ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି।