Odia News Portal

୩ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ, ୧୦ରେ ରେଜଲ୍ଟ

ନୂଆଦିଲ୍ଲୀ() ବାଜିଲା ବିହାର ନିର୍ବାଚନ ବିଗୁଲ । ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତଦନୁଯାୟୀ ୩ଟି ପର୍ୟ୍ୟାୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୮, ନଭେମ୍ବର ୩ ଓ ନଭେମ୍ବର ୭ରେ ୩ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୧୦ରେ ବିହାର ବିଧାନସଭା ଭୋଟ ଗଣତି କରାଯିବ ।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ସୂଚନା ଅନୁଯାୟୀ ନିର୍ବାଚନରେ କରୋନା ଆକ୍ରାନ୍ତ ବି ଭୋଟ ଦେଇପାରିବେ । ଭୋଟ ଗ୍ରହଣ ଶେଷ ପର୍ୟ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ସେମାନେ ଭୋଟ ଦେବେ । ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ଶ୍ରୀ ଆରୋରୋ ଘୋଷଣା କରିଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଦାଖଲ କରିବେ । ପ୍ରାର୍ଥିପତ୍ର ଓ ସତ୍ୟପାଠ ଅନଲାଇନରେ ଦାଖଲ କରାଯିବ । ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି । ଘରକୁ ଘର ବୁଲିସ ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ରହିପାରିବେ । ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ ଗ୍ରାଉଣ୍ଡ ଫ୍ଲୋରରେ କରାଯିବ । ଗୋଟିଏ ବୁଥରେ ୧ ହଜାର ଭୋଟର ରହିବେ । ଚଳିତ ନିର୍ବାଚନରେ ୬ ଲକ୍ଷ ପିପିଇ କିଟ ବ୍ୟବହୃତ ହେବ । ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯାଇଛି । ସବୁ ବୁଥରେ ରାମ୍ପ, ଟଏଲେଟ, ବିଶ୍ରାମ ସ୍ଥଳ ନିଶ୍ଚିତ ରହିବ । ଭୋଟ ଦେବା ପୂର୍ବରୁ ବୁଥରେ ସବୁ ଭୋଟରଙ୍କ ଥର୍ମାଲ ସ୍କାନିଂ ହେବ । ଏହି ନିର୍ବାଚନ ସମୟରେ ସୋସିଆଲ ମିିଡିଆର ଅପବ୍ୟବହାର କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଛଡ଼ା ଫେକ ନୁ୍ୟଜ ଓ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ବରଦାସ୍ତ କରାଯିବ ନାହିଁ ।