ନୂଆପଡା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଜିଲ୍ଲା ଗସ୍ତ । ଏହି ଅବସରରେ ୨ ଶହ ୩୭ କୋଟି ୩୫ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବ ନିର୍ମିତ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସାଇପଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେ ଏବଂ ରାଜ୍ୟ ରାଜପଥ -୩ ଜୁନାନି ରାସ୍ତାର ଉଦଘାଟନ କରିବେ । ଏପଟେ ବୋଡେନ, ନୂଆପଡା ଏବଂ କୋମନା ବ୍ଳକର ୬ଟି ସଡ଼କ ପ୍ରକଳ୍ପ, ନୂଆପଡା, ବୋଡେନ ଏବଂ ଖରିଆର ବ୍ଳକର ୫ଟି ହାଇଲୋଭେଲ ସେତୁ ପ୍ରକଳ୍ପର ଭିର୍ତ୍ତିପ୍ରସ୍ତର ସ୍ଥାପନ ହେବ । ସେହିପରି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ କାଳିଆ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବେ । ଏଥିସହ ମିଶନ ଶକ୍ତି ଦ୍ୱାରା ପରିଚାଳିତ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ୱାବଲମ୍ବୀ କରିବାର କାର୍ୟ୍ୟକ୍ରମ ରହିଛି । ପୂବାହ୍ନ ୧୧ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଖରିଆରରୋଡ ନିକଟ ଏୟାରଷ୍ଟ୍ରିପରେ ଅବତରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।