Odia News Portal

ପ୍ରେମରେ ବିଫଳ କିନ୍ନରଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଗାଁ ନିକଟ ରେଳ ଧାରଣାରୁ ଜଣେ କିନ୍ନରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ କିନ୍ନର ଜଣକ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଗାଁର ଫତୁଆ ଜେନା ବୋଲି ଜଣାପଡିଛି । ସେ ଦୀର୍ଘଦିନରୁ ଯାଜପୁର ରୋଡ଼ ଅଞ୍ଚଳରେ ରହି ଭିକ୍ଷାବୃତ୍ତି କରୁଥିଲେ। ହେଲେ ଆଜି ସକାଳୁ ତାଙ୍କ ମୃତଦେହ ରେଳଧାରଣାରେ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଖବର ପାଇ ଯାଜପୁର ରୋଡ଼ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ମୃତ କିନ୍ନରଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେବେ ସୂଚନା ମୁତାବକ ମୃତ କିନ୍ନର ଙ୍କର ପାଣିକୋଇଲି ଥାନା ଷଠିପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ଗତ କିଛିଦିନ ହେବ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଯୁବକ ଜଣକ ବିଭିନ୍ନ ଆଳରେ କିନ୍ନରଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା କିନ୍ନର ଗତ କିଛିଦିନ ତଳେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।