Odia News Portal

ତାଳଚେର ସାରକାରଖାନା ସବ୍‌ସିଡି ନୀତିକୁ ମଞ୍ଜୁରୀ

ତାଳଚେର ସାରକାରଖାନା ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ

ନୂଆଦିଲ୍ଲୀ:  ତାଳଚେର ସାରକାରଖାନା (ଟିଏଫଏଲ) ଦ୍ୱାରା କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି ।

ଉଦ୍ଦେଶ୍ୟ: ଦେଶରେ ରଣକୌଶଳାତ୍ମକ ଊର୍ଜ୍ଜା ନିରାପତ୍ତା ନୀତି, ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ ଗ୍ୟାସିଫିକେସନ ବ୍ୟବସ୍ଥାରେ ୟୁରିଆ ଉତ୍ପାଦନ କରିବାକୁ ତାଳଚେର କାରଖାନାକୁ ଅନୁମତି ଦେବାକୁ ନୀତିଗତଭାବେ ନିଷ୍ପତି ନେଇଥିଲେ । ଏହାଦ୍ୱାରା ଦେଶର ଚାଷୀଙ୍କ ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ । ଏହା ଦ୍ୱାରା ମଧ୍ୟ ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ପୂର୍ବ ଭାରତକୁ ପଠାଯାଉଥିବା ସାର ପରିବହନ ବାବଦ ସବ୍‌ସିଡି ଯଥେଷ୍ଟ ହ୍ରାସ ପାଇବ । ଏହା ଫଳରେ ସରକାରଙ୍କର ବିପୁଳ ଅର୍ଥ ସଞ୍ଚୟ ହେବ । ଆହୁରି ମଧ୍ୟ ୟୁରିଆ ଆମଦାନୀ ପରିମାଣ ବାର୍ଷିକ ୧୨.୭ଲକ୍ଷ ମେଟ୍ରିକଟନ୍ ହ୍ରାସ ପାଇବ । ୟୁରିଆ ଆମଦାନୀ କମିବା ଦ୍ୱାରା ସରକାର ବିପୁଳ ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିପାରିବେ ।

ତାଳଚେର ସାର ପ୍ରକଳ୍ପ ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ଓ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ପ୍ରୋତ୍ସହିତ କରିବ । ଏହାଦ୍ୱାରା ପୂର୍ବ ଭାରତର  ସଡକ, ରେଳପଥ, ଜଳଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମି କ୍ଷେତ୍ର ଲାଭବାନ ହେବ ଏବଂ ଅନେକ ଅନୁସାରୀ ଶିଳ୍ପ ସଂସ୍ଥା ଗଢି ଉଠିବ  । ଏହି ପ୍ରକଳ୍ପ ମଧ୍ୟ ତାଳଚେରର ପାଶ୍ୱର୍ବର୍ତୀ ଅଂଚଳରେ ନୂଆ ଉଦ୍ୟୋଗ ଓ ବ୍ୟାପାର ବଣିଜକୁ ପ୍ରୋତ୍ସାହିତ କରିବ ।

କୋଲ ଗ୍ୟାସିଫିକେସନ ପ୍ଳାଣ୍ଟଗୁଡିକ ବ୍ୟବସାୟ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୋଇଲା ମୂଲ୍ୟ ପ୍ରାୟତଃ ସ୍ଥିର ରହୁଥିବାରୁ ଏବଂ ଏହା ଦେଶରେ ପ୍ରଚୁର ପରିମାଣରେ ମିଳୁଥିବାରୁ ଏହାର ସଦ୍‌ବିନିଯୋଗ ଲୋଡା । ତାଳଚେର ପ୍ଳାଣ୍ଟ ୟୁରିଆ ଉତ୍ପାଦନ ପାଇଁ ଆବଶ୍ୟକ ପଡୁଥିବା ପ୍ରାକୃତିକ ଗ୍ୟାସ ଆମଦାନୀକୁ ଯଥେଷ୍ଟ କମାଇବ । ଏଠାରୁ ଉତ୍ପାଦିତ କୋଲ ଗ୍ୟାସ ସେ ଆବଶ୍ୟକତା ଅନେକାଂଶରେ ପୂରଣ କରିବ । ଏହା ଫଳରେ ଭାରତର ଏଲଏନ୍‌ଜି (ପ୍ରାକୃତିକ ଗ୍ୟାସ) ଆମଦାନୀଜନିତ ବ୍ୟୟ ଯଥେଷ୍ଟ କମିବ । ତାଳଚେର ସାର କାରଖାନାରେ ଯେଉଁ କୋଇଲା ବାଷ୍ପୀକରଣ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ତାହା ସ୍ପଳ୍ପ ଓ ପ୍ରଦୂଷଣ ମୁକ୍ତ ।ଏଥିରେ ଯେଉଁ ଦୂଷିତ ଏମ୍‌ଓଏକ୍ସ, ଏନ୍‌ଓଏକ୍ସ ଏବଂ ଅନ୍ୟାନ୍ୟ କଣିକା ନିର୍ଗତ ହେଉଚି ତାହାର ପରିମାଣ ନଗନ୍ୟ । ପୁରୁଣା କୋଇଲା ଦହନ ପ୍ରକ୍ରିୟାରେ ପ୍ରଦୂଷଣ ଅଧକ ହେଉଥିଲା ।

ପୃଷ୍ଠଭୂମି- ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର, ଗେଲ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ଲିମିଟେଡ ଓ ଭାରତୀୟ ସାର ନିଗମ ଆଦି ଚାରିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମିଳିତ ସହଯୋଗରେ ତାଳଚେର ଫର୍ଟିଲାଇଜର ଲିମିଟେଡ  ଗଠିତ । ୨୦୧୫ ନଭେମ୍ବର ୧୩ରେ ଏହି ଯୌଥ ଉଦ୍ୟୋଗଟି ଗଠିତ ହୋଇଥିଲା । ପୂର୍ବରୁ ତାଳଚେର ସାର କାରଖାନା ଭାରତୀୟ ସାର ନିଗମ ଅଧୀନରେ କାର୍ଯ୍ୟ କରୁଥିଲା । ସେହି ପୁରୁଣା ୟୁନିଟ୍ ବଦଳରେ ତାଳଚେରରେ ଏକ ନୂଆ କୋଲ ଗ୍ୟାସିଫିକେସନ ୟୁରିଆ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି କାରଖାନାରେ ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ଲକ୍ଷ ମେଟ୍ରିକ ଟନ୍ । ଏହି ୟୁରିଆ ପ୍ରକଳ୍ପର ମୋଟ ନିର୍ମାଣ ଖର୍ଚ୍ଚ ୧୩୨୭୭.୨୧କୋଟି ଟଙ୍କା ରଖାଯାଇଛି । ଏଥିରେ ଅନୁମାନିକ କମ୍ ବେଶୀ ଖର୍ଚ୍ଚ ପରିମାଣ ୧୦% ଧାର୍ଯ୍ୟ ହୋଇଛି ।