କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି।
ଚଳିତ ମାସ ପ୍ରଥମ ସପ୍ତାହରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଅବସର ପରେ ସେ ବିଭିନ୍ନ ଦେଶରେ ଆୟୋଜିତ ହେଉଥିବା ଟି-୨୦ ଲିଗ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବିଦେଶରେ ଟି-୨୦ ଲିଗ୍ ଖେଳିବା ନେଇ ଯୁବରାଜ ବିସିସିଆଇଠାରୁ ଅନୁମତି ମଧ୍ୟ ମାଗିଥିଲେ।
ଅବସର ନେବା ସମୟରେ ଯୁବି କହିଥିଲେ, ଭବିଷ୍ୟତରେ ମୁଁ ବିଦେଶରେ କିଛି ଟି-୨୦ ମ୍ୟାଚ୍ ଖେଳିବାକୁ ଚାହୁଁଛି। ଏହି ବୟସରେ କ୍ରିକେଟକୁ ଉପଭୋଗ କରିବା ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନାହିଁ। ଯୁବରାଜଙ୍କ ସମେତ ଗ୍ଲୋବାଲ୍ ଟି-୨୦ କ୍ୟାନାଡାରେ କିଛି ଅନ୍ତର୍ଜାତୀୟ ତାରକା ମଧ୍ୟ ଭାଗ ନେବେ।