ହାଇଦ୍ରାବାଦ: ୧୧୯ ତେଲେଙ୍ଗାନା ବିଧାନସଭା ଆସନରୁ ୮୮ଟି ଅକ୍ତିଆର କରି କେ ଚନ୍ଦଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଗତକାଲି ବିଧାନସଭା ନିର୍ବାଚନ ଫଳାଫଳ ଏକତରଫା ଭାବେ ଟିଆରଏସ ଆଡ଼କୁ ଯିବା ପରେ ଉଲ୍ଲସିତ କାମଚଳା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଗାମୀ ଦିନରେ ଜାତୀୟ ରାଜନୀତିରେ ଟିଆରଏସ ବଡ଼ ଦାୟିତ୍ୱ ଓ ଭୂମିକା ତୁଲାଇବାର ସଙ୍କେତ ଦେଇଛନ୍ତି।
ତେବେ ଟିଆରଏସ ସୂତ୍ରରୁ ପ୍ରକାଶ ଯେ ଆସନ୍ତା ଗୁରୁବାର ଦିନ କେ ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଶପଥ ଗ୍ରହଣ କରିବେ। ତେବେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। କେ ଚନ୍ଦ୍ରଶେଖର ରାଓଙ୍କ ସହିତ ଅନ୍ୟ କେତେକ ମନ୍ତ୍ରୀ ଶପଥ ନେବେ ନାଁ ଗୁରୁବାର ଦିନ କେବଳ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ତାହା ଜଣାଯାଇ ନାହିଁ।