Odia News Portal

ଯୋଗଗୁରୁ ଆନନ୍ଦଗିରିଙ୍କୁ ସିଡନୀ ଅଦାଲତ କଲା ନିର୍ଦ୍ଦୋଷରେ ଖଲାସ

ସିଡନୀ : ଯୋଗ ଗୁରୁ ଆନନ୍ଦ ଗିରି ମହାରାଜଙ୍କୁ ଅଷ୍ଟ୍ରେଲିଆର ସିଡନୀ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ କୋର୍ଟରେ ନିରାଧାର ଓ ମନଗଢା ସାବ୍ୟସ୍ତ ହୋଇଛି। କୋର୍ଟରେ ସିଡନୀ ପୋଲିସ ମଧ୍ୟ ନିଜର ଭୁଲ ସ୍ୱୀକାର କରିଛି। ଏଣୁ କୋର୍ଟ ଆନନ୍ଦ ଗିରିଙ୍କ ପାସପୋର୍ଟ ଫେରାଇ ଦେବା ସହ ଭାରତ ଯିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ରାୟ ଆସିବା ପରେ ଯୋଗ ଗୁରୁ କହିଛନ୍ତି ଯେ ‘ସତ୍ୟ ହଇରାଣ ହୋଇପାରେ ହେଲେ ତାର ପରାଜୟ ହୋଇ ନପାରେ’।

ଅଷ୍ଟ୍ରେଲିଆରେ ୨ ଜଣ ମହିଳା ଆନନ୍ଦ ଗିରିଙ୍କ ବିରୋଧରେ ସେମାନଙ୍କୁ ଅମର୍ଯ୍ୟାଦା କରିଥିବା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଅଷ୍ଟ୍ରେଲିଆ ପୋଲିସ ତାଙ୍କୁ ଗତ ମେ ୪ ତାରିଖ ଦିନ ସିଡନୀ ୱେଷ୍ଟର୍ଣ୍ଣ ସବ-ଅର୍ବରୁ ଗିରଫ କରିଥିଲା। ମହିଳା ୨ ଜଣ ତାଙ୍କ ବିରୋଧରେ ୨ଟି ପୃଥକପୃଥକ ଅଭିଯୋଗ କରିଥିଲେ। ଜଣେ ୩ ବର୍ଷ ପୂର୍ବ ଘଟଣା ଲାଗି ତାଙ୍କ ବିରୋଧରେ ଏଭଳି ଅଭିଯୋଗ କରିଥିବା ବେଳେ ଅନ୍ୟଜଣକ ୨ ବର୍ଷ ପୂର୍ବର ଏକ ଘଟଣାରେ ଅଭିଯୋଗ କରିଥିଲେ। ଉଭୟ ମହିଳା ଯୋଗଗୁରୁଙ୍କ ପରିଚିତ ଥିଲେ।

ଦୁଇଟି ଜାକ ଘଟଣା ରୁଟିହିଲ ଅଞ୍ଚଳରେ ହୋଇଥିଲା। ଗୋଟିଏ ଘଟଣାରେ ମହିଳା ଯୋଗଗୁରୁଙ୍କ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଦ୍ୱାରା ଯୌନଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଦ୍ୱିତୀୟ ଘଟଣାରେ ଯୋଗଗୁରୁଙ୍କୁ ପ୍ରାର୍ଥନା ଲାଗି ଆମନ୍ତ୍ରିତ କରାଯାଇଥିବା ବେଳେ ଘର ବାରଣ୍ଡାରେ ମହିଳାଙ୍କ ପ୍ରତି ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା। ହେଲେ ଉଭୟ ଘଟଣାରେ ମହିଳାମାନେ ସେମାନଙ୍କ ସହ ହୋଇଥିବା ଘଟଣାକୁ କୋର୍ଟରେ ପ୍ରମାଣିତ କରିପାରିନଥିଲେ।