Odia News Portal

ଚାଲିଲା କଂଗ୍ରେସ ଓ ବିଜେପି ମଧ୍ୟରେ ଟଣାଓଟରା ! ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର୍‌ ରିଲିଜ୍‌ ପରେ ଜୋର୍‌ ଧରିଲା ରାଜନୀତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର୍‌ ରିଲିଜ୍‌ ହେବା ପରେ କେନ୍ଦ୍ର ରାଜନୀତି ଜୋର୍‌ ଧରିଛି। ଚଳଚ୍ଚିତ୍ରକୁ ନେଇ ଚିନ୍ତିତ ହୋଇ ପଡ଼ିଛି କଂଗ୍ରେସ। କିପରି ଭାବେ ଡ. ସିଂହଙ୍କୁ କଂଗ୍ରେସ ବ୍ୟବହାର କରି ଗାନ୍ଧୀ ପରିବାରର ଉତ୍ତରାଧିକାରୀ ଯୋଗ୍ୟ ହେବା ପର୍ଯ୍ୟନ୍ତ ୧୦ ବର୍ଷ ଧରି ଚୌକି ବଞ୍ଚାଇ ରଖିଥିଲା ତାହା ଚଳଚ୍ଚିତ୍ରର ସାରମର୍ମ ବୋଲି ବିଜେପି ଦାବି କରିଛି। ଚଳଚ୍ଚିତ୍ରଟିକୁ ସମେସ୍ତ ଦେଖି କଂଗ୍ରେସର ସ୍ୱରୂପ ଜାଣନ୍ତୁ ବୋଲି ବିଜେପି ଟୁଇଟର୍‌ ଜରିଆରେ ଲୋକଙ୍କୁ ଆହ୍ଵାନ କରିଥିବା ବେଳେ ଅପରପକ୍ଷରେ ଚଳଚ୍ଚିତ୍ରକୁ ପୂରାପୂରି ନଦେଖିଲେ କଂଗ୍ରେସ ଏହାକୁ ରିଲିଜ୍‌ କରାଇ ଦେବ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ରହିଛି।ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରର ରିଲିଜ୍‌ ଉପରେ କଂଗ୍ରେସ ରୋକ ଲଗାଇ ସାରିଲାଣି। ମଧ୍ୟପ୍ରଦେଶର କଂଗ୍ରେସ ନେତା ଦାବି କରିଛନ୍ତି କି ସଂପୂର୍ଣ୍ଣ ଚଳଚ୍ଚିତ୍ର ନ ଦେଖାଇବା ପର୍ଯ୍ୟନ୍ତ ସେମାନେ ରାଜ୍ୟରେ ଫିଲ୍ମ ରିଲିଜ୍‌ କରାଇ ଦେବେ ନାହିଁ। ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’କୁ ବିଜେପି ପକ୍ଷରୁ ଖୁବ୍‌ ସମର୍ଥନ ମିଳିଛି। ଦର୍ଶକମାନେ ନିଶ୍ଚୟ ଚଳଚ୍ଚିତ୍ରଟିକୁ ଦେଖନ୍ତୁ ବୋଲି ବିଜେପି କହିଥିବା ବେଳେ ଏହା ବିଜେପିର ନକଲି ପ୍ରୋପାଗଣ୍ଡା ବୋଲି କହି ଉପହାସ କରିଛିି କଂଗ୍ରେସ।ଚଳଚ୍ଚିତ୍ରରେ ମନମୋହନ ସିଂହଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ୍‌ର ଲୋକପ୍ରିୟ ଚେହେରା ଅନୁପମ୍‌ ଖେର୍‌ ରାହୁଲ ଗାନ୍ଧୀଙ୍କୁ ଏକ ପରାମର୍ଶ ଦେଇ କହିଛନ୍ତି କି ଏହାକୁ ବିରୋଧ କରି କୌଣସି ଫାଇଦା ନାହିଁ, ଚଳଚ୍ଚତ୍ରଟିକୁ କଂଗ୍ରେସ ଯେତେ ବିରୋଧ କରିବ ତାହାକୁ ସେତେ ଲୋକପ୍ରିୟତା ମିଳିବ। ଅନୁପମ ଖେର୍‌ ଆହୁରି ବି କହିଛନ୍ତି, ‘ଚଳଚ୍ଚିତ୍ରଟି କଂଗ୍ରେସ ଉପରେ ହୋଇଛି ଯେହେତୁ ଏଥିରେ ଦଳ ଖୁସି ହେବା ଉଚିତ। ଲୋକଙ୍କୁ ସାଥିରେ ନେଇ ଚଳଚ୍ଚିତ୍ର ଦେଖିବା ଉଚିତ। ମନମୋହନ ସିଂହ ଚଳଚ୍ଚିତ୍ରରେ ଯେଉଁ ଭଳି ଭାବେ ଦେଶ ପ୍ରେମର କଥା କହୁଛନ୍ତି, ମୁଁ ଦେଶକୁ ବଞ୍ଚାଇବି ବୋଲି କହୁଛନ୍ତି ସେଥିରେ କଂଗ୍ରେସର ମହାନତା ସ୍ପଷ୍ଟ ଦିଶୁଛି।’