Odia News Portal

ବିଜେପି ସାଂସଦ, ସିପିଏମ୍‌ ବିଧାୟକଙ୍କ ବାସଭବନକୁ ବୋମା ମାଡ଼

ଥିରୁବନନ୍ତପୁରମ୍‌: କେରଳର ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ହିଂସା ଉପୁଜିଛି ତାହା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ୪୦ ବର୍ଷରୁ କମ୍‌ ବୟସର ଦୁଇ ମହିଳାଙ୍କ ମନ୍ଦିର ପ୍ରବେଶ ପରେ ରାଜ୍ୟରେ ଜାରି ରହିଥିବା ହିଂସା କ୍ରମେ ଅଧିକ ଉଗ୍ର ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ୩୭,୯୭୯ ଜଣଙ୍କ ବିରୋଧରେ ମୋଟ ୧୨୮୬ଟି ମାମଲା ରୁଜୁ ହୋଇଥିବା ବେଳେ ୩୧୭୮ ଜଣଙ୍କୁ ଗିରଫ କରାଯାଇଛି। ତେବେ ରାଜ୍ୟରେ ହିଂସା ସୃଷ୍ଟି ପାଇଁ କେରଳର ଏଲ୍‌ଡିଏଫ୍‌ ସରକାର ଦାୟୀ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ସିପିଆଇଏମ୍‌ ସମର୍ଥକମାନେ ଯୋଜନାବଦ୍ଧ ଭାବେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ପୁଲିସ ସେମାନଙ୍କୁ ସମର୍ଥନ କରୁଥିବାରୁ ହିଂସା ବଢ଼ୁଛି ବୋଲି ବିଜେପି କହିଛି। ଗତକାଲି ସିପିଆଇ(ଏମ୍‌) ବିଧାୟକ ଏ ଏନ୍‌ ସାମ୍‌ଲି ଏବଂ ଦଳର ପୂର୍ବତନ କନ୍ନୁର୍‌ ଜିଲ୍ଲା ସମ୍ପାଦକ ପି ଶଶିଙ୍କ ବାସଭବନକୁ ବୋମା ମାଡ଼ ହୋଇଥିବାବେଳେ ଆଜି ଜଣେ ବିଜେପି ସାଂସଦଙ୍କ ବାସଭବନକୁ ଦୁର୍ବୃତ୍ତମାନେ ଦେଶୀ ବୋମା ଫିଙ୍ଗିଥିବା ଜଣାପଡ଼ିଛି। ବିଜେପି ରାଜ୍ୟସଭା ସାଂସଦ ଭି ମୁରଲୀଧରନଙ୍କ ବାସଭବନକୁ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। କିନ୍ତୁ ଏଥିଯୋଗୁଁ କେହି ମୃତାହତ ହୋଇନାହାନ୍ତି। ‌ସେହିପରି ଆରଏସ୍‌ଏସ୍‌ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। ମାମଲାରେ ୧୭୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ହିଂସା ପରିସ୍ଥିତି ଅଣାୟତ୍ତ ହୋଇଉଠିଥିବାରୁ କେରଳ ସରକାରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରିପୋର୍ଟ ମାଗିଛନ୍ତି। କିନ୍ତୁ ହିଂସା ପାଇଁ ଉଭୟ ସିପିଆଇ(ଏମ୍‌) ଏବଂ ବିଜେପି ପରସ୍ପରକୁ ଦୋଷାରୋପ କରିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଏହାଦ୍ବାରା ପରିସ୍ଥିତି ଆଗକୁ ଆହୁରି ସଙ୍ଗିନ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସିପିଏମ୍‌ ନେତାମାନେ ହିଂସାକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମଧ୍ୟ ଏ ନେଇ ରାଜ୍ୟ ବିଜେପି ନେତାଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଦମନ ନୀତି ଧରି ବିଜେପିର ପ୍ରଭାବକୁ ରୋକିବା ପାଇଁ ସବୁ ପ୍ରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ସବରିମାଳାକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ରାୟର ଦୀର୍ଘ ୯୫ ଦିନ ପରେ ୨ ଜଣ ୪୦ ବର୍ଷରୁ କମ୍‌ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ।