ନୂଆଦିଲ୍ଲୀ : ସିବିଆଇ ମୁଖ୍ୟ ପଦରୁ ହଟିଲେ ଆଲୋକ ବର୍ମା । ନିର୍ଦ୍ଦେଶକ ପଦରେ ପୁନଃ ଅବସ୍ଥାପିତ ହେବାର ୪୮ ଘଣ୍ଟା ପରେ ତାଙ୍କୁ ହଟାଯାଇଛି । ହାଇ ପାଓ୍ଵାର କମିଟି ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହାଇ ପାୱାର କମିଟି ବୈଠକ ବସିଥିଲା । ଏଥିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.କେ ସିକ୍ରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭାରେ କଂଗ୍ରେସ ଦଳ ନେତା ମଲ୍ଲିକାର୍ଜୁନ ଖର୍ଗେ ଯୋଗ ଦେଇଥିଲେ । ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇବା ପାଇଁ କମିଟି ୨-୧ରେ ନିଷ୍ପତ୍ତି ନେଇଛି । ଏଥିସହ ନୂଆ ସିବିଆଇ ମୁଖ୍ୟଙ୍କ ନାଁ ଉପରେ କମିଟି ନିଷ୍ପତ୍ତି ନେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଅଫିସ ଫେରିଥିଲେ । ବର୍ମାଙ୍କୁ ଛୁଟିରେ ପଠାଇବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟ ରଦ୍ଦ କରିଦେଇଥିଲେ । ତେବେ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ ଆଲୋକ ବର୍ମା । ଏହାପୂର୍ବରୁ ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇଛି ।
