ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଅଧ୍ୟକ୍ଷ ଅଶୋକ ଚାୱଲା ଶୁକ୍ରବାର ନିଜ ପଦ ଛାଡ଼ିଛନ୍ତି । ଅମଳାତନ୍ତ୍ରର ଅନ୍ୟ ଅଧିକାରୀଙ୍କ ସହିତ ଚାୱଲା ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଏୟାରସେଲ-ମ୍ୟାକ୍ସିସ କାରବାର ସହିତ ସଂପୃକ୍ତ ଥିଲେ ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଯାଞ୍ଚ ପରେ ଜଣାପଡ଼ିଛି ।
ଅଶୋକ ଚାୱଲା ପବ୍ଲିକ ଇଣ୍ଟରେଷ୍ଟ ନିର୍ଦ୍ଦେଶକ ତଥା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ବୋଲି ଏନଏସଇ ଏକ ବୟାନରେ କହିଛି । ସୂଚନାଯୋଗ୍ୟ ସିବିଆଇ ପକ୍ଷରୁ ଗତ ଜୁଲାଇ ଶେଷରେ ଏକ ଚାର୍ଜସିଟ ଦାଖଲ କରିଥିଲା କିନ୍ତୁ ସରକାରଙ୍କ ମଂଜୁରୀକୁ ଅପେକ୍ଷା କରାଯାଇଥିଲା । ଚିଦାମ୍ବରମଙ୍କ ବିରୋଧରେ ଅର୍ଥ ମନ୍ତ୍ରାଳୟ ମଂଜୁରୀ ଦେଇଥିବା ବେଳେ ବ୍ୟୁରୋକ୍ରାଟ୍ସଙ୍କ ପାଇଁ ସମାନ ଅନୁମତି ଆବଶ୍ୟକ ପଡୁଥିଲା ।
ଅଶୋକ ଚାୱଲା ୨୦୧୬ ଠାରୁ ଏନଏସଇର ଅଧ୍ୟକ୍ଷ ଥିଲେ । ନିକଟରେ ସେ ୟେସ ବ୍ୟାଙ୍କର ନନ-ଏକଜ୍ୟୁକେଟିଭ ଅଧ୍ୟକ୍ଷ ପଦ ଛାଡ଼ିଥିଲେ । ସିବିଆଇ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଓ ଅନ୍ୟ ୧୬ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି । ଏଥିରେ କେନ୍ଦ୍ରୀୟ ଅର୍ଥ ମାମଲାର ସଚିବ ଅଶୋକ କୁମାର ଝା, ଅତିରିକ୍ତ ସଚିବ ଅଶୋକ ଚାୱଲା, ଯୁଗ୍ମ ସଚିବ କୁମାର ସଂଜୟ କ୍ରିଷ୍ଣା, ନିର୍ଦ୍ଦେଶକ ଦିପକ କୁମାର ସିଂହ, ସଚିବ ରାମ ସରଣ ଆଦି ସାମିଲ ଅଛନ୍ତି ।
