ସୋନଭଦ୍ର () ପାହାଡରେ ଦବି ହୋଇ ରହିଛି ସୁନାର ଭଣ୍ଡାର । ଉତ୍ତରପ୍ରଦେଶରେ ଏକ ପାହାଡରେ ସୁନାର ଏକ ବଡ ଭଣ୍ଡାର ଥିବା ଠାବ ହୋଇଛି । ଆଉ ଏହାକୁ ଖୋଳି କାଢ଼ିବାକୁ ଏବେ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପାଖାପାଖି ତିନି ହଜାର ଟନ ସୁନା ଥିବାର ଜଣାପଡିଛି । ରାଜ୍ୟ ଖଣିଜ ବିଭାଗ ଏହି ସୁନା ବାବଦରେ ଜାଣିଥିବାବେଳେ ଏହି ସୁନାକୁ ଉତ୍ତୋଳନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି ।
ଉତ୍ତରପ୍ରଦେଶ ସରକାର ଏହି ସୁନାକୁ ବାହାର କରିପାରିଲେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ପାଇପାରିବେ ବୋଲି ଅନୁମାନ କରାଯାଉଛି । ତେବେ ପାହାଡରେ କେବଳ ସୁନା ନୁହେଁ, ବରଂ ୟୁରାନିୟମ ଥିବା ମଧ୍ୟ ଆଶାଙ୍କା କରୁଛନ୍ତି ସରକାର । ଯାହାକୁ ନେଇ ଖୁବଶୀଘ୍ର ମଧ୍ୟ ସର୍ଭେ କରାଯିବ ।
ସୁନା ଗଛିତ ଥିବା ଜାଣିବା ପରେ ଉତ୍ତରପ୍ରଦେଶ ସରକାର ଇ-ନିଲାମୀ ମାଧ୍ୟମରେ ସୁନା ନିଲାମ କରିବାକୁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ୭ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମ ଅଞ୍ଚଳର ଜିଓ ଟ୍ୟାଗିଙ୍ଗ କରି ୨୨ ଫେବୃୟାରୀ ସୁଦ୍ଧା ରିପୋର୍ଟ ଦେବ । ତେବେ ଜିଲ୍ଲା ଖଣିଜ ଅଧିକାରୀ କହିଛନ୍ତି ଏହି ଅଂଚଳରେ କେବଳ ସୁନା ନାହିଁ ବରଂ ଲୌହ ଓ ୟୁରାନିୟମ ମଧ୍ୟ ଥିବାର ସମ୍ଭାବନା ଦେଖାଦେଇଛି ।