Odia News Portal

ରାଜେନ୍ଦ୍ରଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ

ନୁଆଦିଲ୍ଲୀ () ନୁଆଦିଲ୍ଲୀ ସ୍ଥିତ ପ୍ରଭାସୀ ଭାରତୀୟ କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଅନୁଷ୍ଠିତ ଜାତୀୟ ପୁରସ୍କାର ସମାରୋହରେ ବ୍ରହ୍ମପୁରର ଶିଳ୍ପଦ୍ୟୋଗୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଶ୍ରଙ୍କୁ ସୂକ୍ଷ୍ମ ଓ କ୍ଷୂଦ୍ର ଶିଳ୍ପ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଏଥିରେ ଶ୍ରୀ ମିଶ୍ରଙ୍କୁ ବିଭାଗ ତରଫରୁ ପ୍ରମାଣପତ୍ର ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଶ୍ରୀଯୁକ୍ତ ମିଶ୍ରଙ୍କୁ ଓଡିଶାର ଏକମାତ୍ର ଶିଳ୍ପଦ୍ୟୋଗୀ ଭାବରେ ଚୟନ କରାଯାଇଛି। ଏହି ଉତ୍ସବରେ MSME ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ୍ ଗଡକରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ଏହା ପୂର୍ବରୁ ମଧ୍ୟ ଶ୍ରୀଯୁକ୍ତ ମିଶ୍ରଙ୍କୁ ସର୍ବ ଭାରତୀୟ ସ୍ତରରେ ୨୦୧୩-୧୪ ଆର୍ଥିକ ବର୍ଷ ନିମନ୍ତେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ୨୦୧୬ ରେ ପ୍ରଥମ ଥର ପାଇଁ ପୁରସ୍କୃତ କରାଯାଇଥିଲା। ୧୯୯୨ ମସିହାରୁ ଶ୍ରୀଯୁକ୍ତ ମିଶ୍ର ଗଞ୍ଜାମ ଜିଲ୍ଲାରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଶିଳ୍ପର ବିକାଶ ନିମନ୍ତେ ନିରନ୍ତର ଭାବରେ କାର୍ୟ୍ୟ କରି ଆସୁଛନ୍ତି। ୨୦୦୮ ମସିହାରେ ସୂକ୍ଷ୍ମ ଓ କ୍ଷୂଦ୍ର ଶିଳ୍ପ ସେବା କ୍ଷେତ୍ରରେ ପ୍ରବେଶ କରି “Modern Test Center”ନାମରେ ଏକ ବିକିରଣ ସ୍ତରର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏଥିଯୋଗେ ଖାଦ୍ୟ ପଦାର୍ଥରେ ବିକିରଣ ସ୍ତରର ପରୀକ୍ଷା କରାଯିବା ସହ ଏହା ବ୍ୟବହାର ଉପଯୋଗୀ କି ନୁହେଁ ସେ ସମ୍ପର୍କରେ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ।

ଶ୍ରୀଯୁକ୍ତ ମିଶ୍ର ଗଞ୍ଜାମ ଜିଲ୍ଲାର ପ୍ରଥମ ଶିଳ୍ପଦ୍ୟୋଗୀ ଯିଏ ଜାତୀୟ ସ୍ତରରେ ଏଭଳି ଭାବରେ ପୁରସ୍କୃତ ହୋଇଛନ୍ତି। ଶ୍ରୀଯୁକ୍ତ ମିଶ୍ର ସ୍ବର୍ଗତ ସତ୍ୟବାଦୀ ମିଶ୍ରଙ୍କ ସୁପୁତ୍ର ଏବଂ ସ୍ବର୍ଗତ ଲକ୍ଷ୍ମଣ ମହାପାତ୍ରଙ୍କର ଜାମାତା ଅଟନ୍ତି।