ଭୁବନେଶ୍ୱର() ଗୋଟିଏ ଟୁଇଟ୍ କରି ବିବାଦରେ ଫସି ଯାଇଛନ୍ତି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ବିଭନ୍ନ ପ୍ରସଙ୍ଗରେ ନିଜର ଟୁଇଟ୍ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ଶ୍ରୀ ପଣ୍ଡା ଏବେ ଟୁଇଟ୍ ବାର୍ତ୍ତାରେ ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବୈଜୟନ୍ତଙ୍କ କଟ୍ଟର ସମର୍ଥକମାନେ ବି ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି । ତାଙ୍କ ଏଭଳି ସ୍ଥିତି ଦେଖି କିଛି ଲୋକ ଏବେ ହିନ୍ଦି ଚଳଚିତ୍ର ଅଭିନେତା ନାନା ପାଟେକରଙ୍କ ଡାଇଲଗ ଷ୍ଟାଇଲ୍ରେ ‘ଏକ ଟୁଇଟ୍ ନେ ଆଦ୍ମୀ କୋ କ୍ୟା ବନାଦିୟା’ ବୋଲି କହିବାକୁ ପଛାଉ ନାହାନ୍ତି ।
ଗତ କିଛିଦିନ ଧରି ବୈଜୟନ୍ତଙ୍କ ପରିବାର ନିୟନ୍ତ୍ରଣରେ ଥିବା ଓଟିଭିର ଜଣେ ସାମ୍ବାଦିଙ୍କୁ ପୁଲିସ୍ ରାସ୍ତାରୁ ଉଠାଇବା ପରେ ବିବାଦ ଆରମ୍ଭ ହୋଇଛି । ବୈଜୟନ୍ତ ଏହାକୁ ନେଇ ଏକାଧିକ ଟୁଇଟ୍ କରିବା ସହିତ କେତେକ ଜାତୀୟ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି । ତେବେ ସବୁ ସୀମା ଟପିଛି ବୈଜୟନ୍ତଙ୍କର ପାକିସ୍ତାନ ମାର୍କା ଟୁଇଟ୍ । ଶ୍ରୀ ପଣ୍ଡା କହିଛନ୍ତି ମହାରାଷ୍ଟ୍ର ଓ ଓଡିଶାରେ ଗଣମାଧ୍ୟମ ଉପରେ ପୁଲିସ୍ ଯେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ପାକିସ୍ତାନ ଭଳି । ଏଥିରୁ ଖିଅ କାଢି ଏବେ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ବୈଜୟନ୍ତଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ।
ଅବସ୍ଥା ଏଭଳି ହୋଇଛି ଯେ ଏହି ପ୍ରସଙ୍ଗରେ ଉଭୟ ବୈଜୟନ୍ତ ଓ ରାଜ୍ୟ ବିଜେପି ନେତା ଆଗକୁ ଆସି ସ୍ପଷ୍ଟିକରଣ ଦେବା ଆରମ୍ଭ କରିଛନ୍ତି । ନିଜର ମାର୍ଜିତ ଓ ମପା ଚୁପା ବକ୍ତବ୍ୟ ପାଇଁ ବୈଜୟନ୍ତ ଓଡିଶା ଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ ବେଶ୍ ଜଣାଶୁଣା । ତେବେ ହଠାତ୍ ସେ କାହିଁକି ଏଭଳି ଟୁଇଟ୍ କଲେ ତାହାକୁ ନିଜ ଦଳର ଲୋକେ ବି ବୁଝିପାରୁ ନାହାନ୍ତି । ଗୋଟିଏ ଟୁଇଟ୍ ବୈଜୟନ୍ତଙ୍କ ଭାବମୂର୍ତ୍ତି ବିଗାଡିଦେଲା ବୋଲି କିଛି ବିଜେପି ନେତା ମତ ଦେବାକୁ ପଛାଉ ନାହାନ୍ତି । ଏଭଳି ଟୁଇଟ୍ ଖାଲି ତାଙ୍କର କ୍ଷତି କରିନାହିଁ ଉପନିର୍ବାଚନ ସମୟରେ ରାଜ୍ୟ ବିଜେପି ନେତାମାନଙ୍କୁ ବି ଅକଳରେ ପକାଇଥିବା ଲକ୍ଷ୍ୟ କରାଯାଉଛି ।
ଏଭଳି ପାକିସ୍ତାନୀ ମାର୍କା ଟୁଇଟ୍ର ପ୍ରଭାବ ଏବେ କେନ୍ଦ୍ରାପଡାରେ ବି ପରିଲକ୍ଷିତ ହେଉଛି । କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ପରେ ବୈଜୟନ୍ତଙ୍କ ପଟକୁ ଢଳୁଥିବା ଲୋକେ ବି ଏଭଳି ପାକିସ୍ତାନୀ ଟୁଇଟ୍କୁ ନେଇ ମୁହଁ ମୋଡୁଛନ୍ତି । କିଛି ଜିଲ୍ଲାବାସୀଙ୍କ କହିବାକଥା ଯେ ନିଜ ସଂସ୍ଥାର ଜଣେ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ପୂର୍ବତନ ସାଂସଦ ଆମ ସମସ୍ତଙ୍କୁ ପାକିସ୍ତାନୀ କହିବାକୁ ପଛାଇଲେ ନାହିଁ । ବୈଜୟନ୍ତଙ୍କ ଏଭଳି ବିବାଦୀୟ ଟୁଇଟ୍ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଥିବାବେଳେ ରାଜନୀତିର ଧାରୁନଥିବା କିଛି ବ୍ୟକ୍ତି ବି ସୋସିଆଲ ମିଡିଆରେ।ଏଭଳି ଟୁଇଟ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି ।
କିଛି ରାଜନୈତିକ ବିଶ୍ଲେଷକଙ୍କ ମତରେ ଓଡିଶା ରାଜନୀତିରେ ବୈଜୟନ୍ତ ନିଜର ଯେଉଁ ଭାବମୂର୍ତ୍ତି ପ୍ରତିଷ୍ଠ। କରିଥିଲେ ଗୋଟିଏ ଟୁଇଟ୍ ତାକୁ ଏକ ପ୍ରକାର ଧୂଳିସାତ କରିଦେଲା । ଏହାକୁ ସଜାଡିବାକୁ ତାଙ୍କୁ ବହୁ ଦିନ ଲାଗିଯିବ । କାରଣ ଶାନ୍ତିପ୍ରିୟ ଓଡିଶାର କୌଣସି ଆଗଧାଡିର ନେତା ଆଜି ପର୍ଯ୍ୟନ୍ତ ଏଭଳି ଅପମାନଜନକ ସୂଚନା ବାର୍ତ୍ତା ଦେବାକୁ ସାହସ କରିନଥିଲେ । ଏହା କେବଳ ବୈଜୟନ୍ତ ନୁହେଁ ତାଙ୍କ ବିଜେପିକୁ ମଧ୍ୟ ଓଡିଶାରେ ବହୁ କ୍ଷତି ଘଟାଇବ ।
