Odia News Portal

ନବୀନଙ୍କ ଭାବମୂର୍ତ୍ତି: ୧୯ ବର୍ଷ ଭିତରେ ୪୫ ଜଣ ବିଦା ‌ହେଲେଣି ମନ୍ତ୍ରିମଣ୍ତଳରୁ

ଭୁବନେଶ୍ବର : ୨୦୦୦ରୁ ୨୦୧୯। ଚାରି ଥରରେ ପାଖାପାଖି ୧୯ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ତଥା ଦଳର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ଥର ନିଜ ମନ୍ତ୍ରିମଣ୍ତଳର ସହଯୋଗୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି ନବୀନ। ଏହି ୧୯ ବର୍ଷ ଭିତରେ ବିଭିନ୍ନ କାରଣରୁ ୪୫ ଜଣ ବିଦା ହୋଇଛନ୍ତି ତାଙ୍କ ମନ୍ତ୍ରିମଣ୍ତଳରୁ। ପ୍ରଥମ ପାଳି ଅର୍ଥାତ ୨୦୦୦ରୁ ୨୦୦୪ ମଧୢରେ ଛଅ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ ନବୀନ। ସେମାନେ ହେଲେ କମଳା ଦାସ, ପ୍ରଶାନ୍ତ ନନ୍ଦ, ନଳିନୀକାନ୍ତ ମହାନ୍ତି, ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର ଓ ଏ ପି ସି˚ହ। ତାହା ବାଦ୍‌ ତତ୍‌କାଳୀନ ଅର୍ଥ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍ଥ ବିଭାଗ ଚାଲିଗଲା ପରେ ସେ ବି ଇସ୍ତଫା ଦେଇଥିଲେ। କେବଳ ଦୁର୍ନୀତିର ଅଭିଯୋଗରେ ଅଧିକା˚ଶ ମନ୍ତ୍ରୀଙ୍କୁ ବଳି ପକାଯାଇଥିଲା। ୨୦୦୪ରୁ ୨୦୦୯ ମଧୢରେ ନବୀନ ଗଡ଼ାଇଥିଲେ ୧୪ ମୁଣ୍ତ। ସେହିପରି ତୃତୀୟ ପାଳିରେ ପୁଣି ବିଭିନ୍ନ କାରଣରୁ ପଦ ହରାଇଥିଲେ ୧୪ ମନ୍ତ୍ରୀ। ଏହି ପାଳିରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥିଲା ୨୦୧୨ ମସିହା ଅଗଷ୍ଟ ମାସରେ। ପ୍ୟାରୀ ମହାପାତ୍ରଙ୍କ ଯୁଗ ଶେଷ ହେଲା ପରେ ତାଙ୍କ ସହ ସମ୍ପର୍କ ଅଭିଯୋଗରେ ବିଦା େହାଇଥିଲେ ପ୍ରଫୁଲ୍ଲ ଘଡ଼ାଇ, ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସି˚ହଦେଓ ଓ ଅତନୁ ସବ୍ୟସାଚ୍ଚୀ ନାୟକ। ତେବେ ୨୦୧୪ ନିର୍ବାଚନ ପରେ ପୁଷ୍ପେନ୍ଦ୍ର ଓ ଅତନୁ ନବୀନ ମନ୍ତ୍ରିମଣ୍ତଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା ବି ମନ୍ତ୍ରିମଣ୍ତଳକୁ ଫେରିଥିଲେ।