ଭୁବନେଶ୍ୱର : ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ବାଣରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଘାଇଲା ହୋଇଥିବାବେଳେ ଦଳ ଭିତରୁ କିନ୍ତୁ ଇତିଶଙ୍କୁ ନିରବ ସମର୍ଥନ ମିଳୁଥିବା ଲକ୍ଷ୍ୟ କରାଯାଉଛି । ମାତ୍ର ଜଣେ ଦଳୀୟ ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ବାଦ୍ ଦେଲେ ଅନ୍ୟକେହି ହେଲେ ଇତିଶଙ୍କୁ ଏପର୍ଯ୍ୟନ୍ତ ବିରୋଧ କରୁନାହାନ୍ତି । ଏହାକୁ ନେଇ ଏବେ ରାଜ୍ୟ କଂଗ୍ରେସରେ ଘଣ୍ଟା ଚକଟା ଆରମ୍ଭ ହୋଇଯାଇଛି ।
ଗତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହେବାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେହିଭଳି ରାଜ୍ୟ କଂଗ୍ରେସର ସମସ୍ତ ଶାଖାକୁ ଭାଙ୍ଗିଦିଆଯାଇଥିଲା । ହେଲେ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଇସ୍ତଫା ଗ୍ରହଣ ନକରି ସେମାନଙ୍କୁ କାର୍ଯ୍ୟ କରିବାକୁ କହିଛନ୍ତି । ଅନ୍ୟ ଛାମୁଆ ସଂଗଠନ ଏପର୍ଯ୍ୟନ୍ତ ଗଠନ ହୋଇପାରି ନାହିଁ । ଇତି ମଧ୍ୟରେ ନିରଞ୍ଜନ ଦିଲ୍ଲୀ ଗସ୍ତରେ ଥିବାବେଳେ ତାଙ୍କ ବିରୁଦ୍ଧରେ କଂଗ୍ରେସରେ ଅଭିଯୋଗମାନ ଉଠିଛି ।
କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ ଖୋଲାଖୋଲି ଭାବେ ନିରଞ୍ଜନଙ୍କ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ତାଲିକାରେ ପୂର୍ବରୁ ଦଳର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ବି ଥିଲେ ।ହେଲେ ଯୁଦ୍ଧକୁ ଆସିଛନ୍ତି ଇତିଶ । ସାମ୍ବାଦିକ ସମିଳନୀ କରି ନିରଞ୍ଜନଙ୍କ ଗୋହି ଖୋଳିଛନ୍ତି । ସିଏ ଖାଲି ନିରଞ୍ଜନଙ୍କୁ ଆଟାକ କରିନାହାନ୍ତି, ତାଙ୍କର ପୁତ୍ର ମୋହ ଓ ଭାଇଙ୍କ ସାଙ୍ଗରେ ମିଶି କିଭଳି ବିଜେଡିକୁ ସାହାଯ୍ୟ କରିଛନ୍ତି ତାହାର ଟିକିନିଖି ହିସାବ ଦେଇଛନ୍ତି । ଏପରିକି ନିରଞ୍ଜନ ବିଜେଡି ନିକଟରେ କଂଗ୍ରେସକୁ ବିକ୍ରି କରିଦେଇଥିବା ସେ ଖୋଲାଖୋଲି ଭାବେ କହିଛନ୍ତି । ତେଣୁ ନିରଞ୍ଜନଙ୍କୁ ଆବଶ୍ୟକ ହେଲେ କଂଗ୍ରେସ ଭବନରେ ପୂରାଇ ଦିଆଯିବନାହିଁ ବୋଲି ଦମ୍ଭର ସହ ଘୋଷଣା କରିଛନ୍ତି । ଇତିଶଙ୍କ ଏଭଳି ସିଧା ଆକ୍ରମଣ ବିରୁଦ୍ଧରେ କିନ୍ତୁ କଂଗ୍ରେସର କେହି ଜଣେ ହେଲେ ବଡ ନେତା ମୁହଁ ଖୋଲୁ ନାହାନ୍ତି ।
ନିର୍ବାଚନ ପୂର୍ବରୁ ଦେଖାଦର୍ଶନ ନଥିବା ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଦିଲ୍ଲୀରେ ରହି ବିବୃତ୍ତିଟିଏ ଦେଇ କାମ ସାରିଦେଇଛନ୍ତି । ଦଳର ୯ଜଣ ବିଧାୟକଙ୍କ ମଧ୍ୟରୁ କେହି କିଛି କହୁନଥିବାରୁ ଇତିଶଙ୍କ ପଛରେ ଦଳର ଗୋଟିଏ ବଡଗୋଷ୍ଠି ରହିଥିବା ଏବେ ରାଜଧାନୀରେ ଆଲୋଚନା ହେଉଛି । ସୂଚନା ଅନୁଯାୟୀ ଯଦିଓ ଇତିଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିରଞ୍ଜନ ଗୋଟି ଚଳାଇବା ଆରମ୍ଭ କରିଛନ୍ତି ତେବେ ଏହା ଦଳୀୟ ଅସନ୍ତୋଷକୁ କେତେଦୂର ଚାପି ପାରିବ ତାହାକୁ ନେଇ କର୍ମୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେବେ ଆଗକୁ ବିଜେପୁର ଉପନିର୍ବାଚନ ସହିତ ରାଜ୍ୟରେ ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ ଦଳରେ ଯେଉଁ ଗୋଡ ଟଣାଟଣି ଆରମ୍ଭ ହୋଇଛି ତାହାଦ୍ୱାରା ଦଳ ରାଜ୍ୟରୁ ସତ୍ତା ହରାଇବ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି ।
କାରଣ ନିର୍ବାଚନ ପୂର୍ବରୁ ଘନ ଘନ ଦିଲ୍ଲୀ ଦଉଡି ଦଳ ଯେଉଁ ଫଳ ପାଇଲା ସେଥିରୁ କିଛି ହେଲେ ଶିକ୍ଷା କରି ପାରିଲା ନାହିଁ । ଏବେ ରାଜ୍ୟରେ ଦଳର ଅସ୍ଥିତ୍ୱ ତଳକୁ ତଳକୁ ଯାଉଥିବାବେଳେ ସରକାରଙ୍କୁ ସାମ୍ନା କରିବା ବଦଳରେ ନିଜ ନିଜ ଭିତରେ ଯେଭଳି ଲଢୁଛନ୍ତି ତାହା ଉଭୟ ବିଜେଡି ଓ ବିଜେପିକୁ କିନ୍ତୁ ବେଶ୍ ସୁହାଇଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )