Odia News Portal

ଘର ଭାଙ୍ଗିବାକୁ ଗୋଟି ଚଳାଉଛନ୍ତି ଚଣ୍ଡା ଶୋକ

ଭୁବନେଶ୍ୱର : ଗତ ନିର୍ବାଚନ ସମୟରେ ଦଳକୁ ଦୁର୍ବଳ କରି ନିଜ ଦଳର ସାଂସଦ ପ୍ରାର୍ଥୀଙ୍କୁ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବେ ପୂରା ସଂଗଠନକୁ ଭାଙ୍ଗିବାକୁ ଗୋଟି ଚଳାଇଛନ୍ତି । ଵୁଧଵାର ବିଜେଡି କାର୍ଯ୍ୟକ୍ରମରେ ଚଣ୍ଡାଶୋକଙ୍କ ଏଭଳି ବିଭୀଷଣ କାର୍ଯ୍ୟକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ବିଜେଡି ରାଜଧାନୀରେ ପଦଯାତ୍ରା ମାଧ୍ୟମରେ ତାହାର ଶକ୍ତି ପ୍ରଦର୍ଶନ କରିଥିଲା ।

ସେଥିପାଇଁ ଦଳୀୟ ନେତାମାନେ ଜୋରଦାର ପ୍ରସ୍ତୁତି କରିଥିଲେ । ମାଳ ମାଳ ନେତାଙ୍କ ଫଟୋ ଲାଗିଥିଲା । ଭାଷଣ ବି କମ୍‍ ହୋଇନଥିଲା । ମୁଖ୍ୟମନ୍ତ୍ରୀ ଓ ଦଳର ପ୍ରଶଂସାରେ ବିଜେଡି ନେତାମାନେ ଶତମୁଖ ହୋଇଉଠିଥିଲେ । ହେଲେ ଏଭଳି ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା ବଡ ବ୍ୟତିକ୍ରମ । ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ଫଟୋ ଦେଖିବାକୁ ମିଳିନଥିଲା । ସେହିଭଳି ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା ଓରଫ ବାଇଆଁଙ୍କୁ କହିବାର ସୁଯୋଗ ମିଳନଥିଲା । ଏହାକୁ ଏବେ ବିଜେଡି ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କିଏ ବିଭୀଷଣ ସାଜି ଏଭଳି କଲେ ବୋଲି ପ୍ରଶ୍ନ କରୁଛନ୍ତି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏସବୁ କାମ ହେଉଛି ଚଣ୍ଡାଶୋକଙ୍କର । ଅରୁପଙ୍କୁ ଦୁର୍ବଳ କରିବା ଓ ବାଇଆଁଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି ଖେଳ ହୋଇଛି । ବିଧାନସଭା ନିର୍ବାଚନରେ ବାଇଆଁ ନିଜର ଶକ୍ତି ଦେଖାଇଥିବାରୁ ତାଙ୍କୁ ଦୁର୍ବଳ କରିବାଲାଗି ଚଣ୍ଡାଶୋକ ଲାଗି ପଡିଛନ୍ତି । ତାଙ୍କ ନିକଟରେ ଥିବା ଯୁବକମାନଙ୍କୁ ନିଜ ପଟକୁ ଆଣିବାରେ ସକ୍ଷମ ନହେବାରୁ ଆଜି ଏତେବଡ କାର୍ଯ୍ୟକ୍ରମରେ ଶ୍ରୀ ଜେନାଙ୍କୁ ତାଙ୍କ ସମର୍ଥକଙ୍କ ଆଗରେ ନ୍ୟୁନ କରି ଦେଖାଇବାକୁ ଉଦ୍ୟମ ହୋଇଛି ।

ସେହିଭଳି ଗତ ର୍ନିବାଚନ ସମୟରେ ଅରୁପଙ୍କ ପରାଜୟ ପଛରେ ଚଣ୍ଡା ଶୋକଙ୍କ ଗୋଟି ଚାଳନା ନେଇ ଏବେ ବି ଦଳୀୟ ନେତାମାନେ ଆଲୋଚନା କରୁଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡିର ହାୱା ସତ୍ୱେ ଅରୁପ ହାରିଗଲେ । ଏଥିପାଇଁ ଦଳୀୟ କର୍ମୀମାନେ ଚଣ୍ଡାଶୋକଙ୍କ ଆଡକୁ ଅଙ୍ଗୁଳି ଦେଖାଉଛନ୍ତି । ନିଜର ସାମାନ୍ୟ ସ୍ୱାର୍ଥପାଇଁ ସେ ଏଭଳି ବିଭୀଷଣ ଅବତାର ସାଜିଲେ ବୋଲି କୁହାଯାଉଛି । ଆଜିର କାର୍ଯ୍ୟକ୍ରମ ପରେ ଏଭଳି ଆଲୋଚନା ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି । ଏଭଳି ଭିତିରିଆ ଗୃହଭେଦି କାର୍ଯ୍ୟ ଯଦି ଜାରିରୁହେ ତେବେ ଭୁବନେଶ୍ୱରରେ ଦଳ ପ୍ରଥମେ ତାହାର ସଂଗଠନ ହରାଇବ ବୋଲି କିଛି ନେତା ଖୋଲାଖୋଲି କହୁଛନ୍ତି ।

କାରଣ ଯେଉଁମାନଙ୍କ ହାତରେ ଦଳର ଯୁବଶକ୍ତି ରହିଛି ସେମାନଙ୍କୁ ଯଦି କୋଣଠେସା କରାଯିବ ଓ ମୁହଁ ଖୋଲିଲେ ଉପରୁ ନିର୍ଦ୍ଦେଶ ଆସିଛି କହି ଧମକା ଯିବ ତେବେ ସଂଗଠନ ରହିବ କିପରି । ଏହା ପରୋକ୍ଷରେ ବିଜେପିକୁ ସହାୟତା ବୋଲି କି ଅନେକ କହି ବୁଲିଲେଣି । ଏଭଳି ବହୁରୂପୀ ନେତାଙ୍କୁ ତୁରନ୍ତ ଦଳ ଭିତରେ ଏକ ଘରିକିଆ କରିବାକୁ ବି କିଛି ଅଣ୍ଟା ଭିଡିଲେଣି । ଆଜି ଯେଭଳି ଭାବେ ଦଳର ଦୁଇଜଣ ଛାମୁଆ ନେତାଙ୍କୁ ଚଣ୍ଡାଶୋକ ଗୋଟି ଚଳାଇ ଅପମାନିତ କରିଛନ୍ତି ତାହା ଆଗକୁ କି ରୂପ ନେଉଛି କର୍ମୀମାନେ ଏବେ ତାହା ଉପରେ ନଜର ରଖିଥିବାବେଳେ ଘରଭଙ୍ଗା କାର୍ଯ୍ୟକୁ ଦେଖି ବିଜେପିର କିଛି ଛାମୁଆ ନେତା କିନ୍ତୁ ମନେ ମନେ କୁରୁଳୁଥିବା ଲକ୍ଷ୍ୟ କରାଯାଉଛି ।

     ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )