ଭୁବନେଶ୍ୱର: ନିର୍ବାଚନ ସମୟ ଯେତେ ନିକଟତର ହେବାରେ ଲାଗିଛି ରାଜନୀତିକ ହଟଚମଟ ସେତିକି ବଢ଼ିବାରେ ଲାଗିଛି । କୁହାଯାଉଛି ବିଜେଡି ପକ୍ଷରୁ ହକି ମହାସମାରୋହ ସରିଲା ପରେ ଏକ ମହାମିଶ୍ରର ପର୍ବ କରାଯିବ । ବିଜେପିର ଏହି ମହାମିଶ୍ରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବହୁ ଚର୍ଚ୍ଚା ଚାଲିଛି । ପ୍ରକୃତରେ କେଉଁମାନେ ଆସିବେ ତାକୁ ନେଇ ଚାଲିଛି କସରତ । ଏକଥା କୁହାଯାଉଛି ବିଜେଡି ଯେଉଁ ଯୋଜନା ଚଳାଇଛି ସେଥିରେ ଉଭୟ କଂଗ୍ରେସ ଓ ବିଜେପିକୁ ଝଟକା ହେବ । କଂଗ୍ରେସ ଓ ବିଜେପିର କିଛି ବିଧାୟକଙ୍କୁ ନେବାପାଇଁ ପୁରା ଦମରେ ବିଜେଡି ନେତାମାନେ ଲାଗିଛନ୍ତି । ଅବଶ୍ୟ ବିଜେପିରୁ ଯେଉଁମାନଙ୍କୁ ନେବାପାଇଁ ଯୋଜନା କରାଯାଇଛି ସେଥିରେ ବିଜେଡିର ଫାଇଦା ହୋଇପାରେ । କିନ୍ତୁ କଂଗ୍ରେସରୁ ଯେଉଁମାନଙ୍କୁ ନେବାପାଇଁ ଯୋଜନା କରାଯାଇଛି ସେଥିରେ ଦଳର କ୍ଷତି ହେବ ସିନା ଲାଭ ହେବନାହିଁ ବୋଲି କୁହାଯାଉଛି । ମିଶ୍ରଣ ଆଳରେ ବହୁ ଲୋକଙ୍କୁ ବିଜେଡି ଆଣିପାରେ । ଦଳର ଲୋକପ୍ରିୟତା ବଢ଼ିଥିବା ନେଇ ଏକ ବାର୍ତା ଦେବାପାଇଁ ଏ ଯୋଜନା କରୁଥାଇପାରେ । ହେଲେ ଦଳ ପାଇଁ କଂଗ୍ରେସରୁ ନେତାନେବା ଘଟଣା ଭବିଷ୍ୟତରେ ସହାୟକ ହେବ ନାହିଁ ବୋଲି ଅନେକ ମତ ରଖୁଛନ୍ତି ।
ଯାହା ଖବର ପ୍ରକାଶ ପାଉଛି ସେଥିରେ କୁଆଡ଼େ କଂଗ୍ରେସର ୫ ବିଧାୟକ ଓ ବିଜେପିର ୩ ବିଧାୟକଙ୍କୁ ନେବାପାଇଁ ଆଲୋଚନା ଚାଲିଛି । ଯେଉଁ ବିଧାୟକମାନେ ଉଭୟ ଦଳରେ ଭଲ ସ୍ଥିତିରେ ନାହାଁନ୍ତି ଏବଂ ଆଗକୁ ହୁଏତ ଜିତି ନ ପାରନ୍ତି ବୋଲି ଆଶଙ୍କା କରୁଛନ୍ତି ସେହିମାନେ ହିଁ ବାଡ଼ ଡେଇଁବେ ବୋଲି ସୂଚନା ମିଳୁଛି । ଏପରି କି କିଛି ଗଣମାଧ୍ୟମରେ ସମ୍ପୃକ୍ତ ବିଧାୟକମାନଙ୍କର ନାମ ମଧ୍ୟ ପ୍ରକାଶ ପାଇଲାଣି । ଏଥିରେ କୁହାଯାଉଛି କଂଗ୍ରେସର ବିଧାୟକ ନବ ଦାସ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ଯୋଗେଶ ସିଂ ଓ ପ୍ରଫୁଲ୍ଲ ମାଝି ଦଳ ଛାଡ଼ି ବିଜେଡିରେ ଆସିବା ନେଇ ଯୋଗାଯୋଗ ଚାଲିଛି । ନବ ଦାସ ଇତିମଧ୍ୟରେ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ସମର୍ଥକମାନଙ୍କୁ ଡାକି ମତାମତ ଲୋଡ଼ିବାରେ ଲାଗିଛନ୍ତି । ଏଥିରୁ ସେ ବାଡ଼ ଡେଉଁଥିବା କଥା ନେଇ ସୂଚନା ଦେଉଥିବା କୁହାଯାଉଛି । ନହେଲେ ଖୋଲାଖୋଲି ଭାବେ ବୈଠକ ଡାକି ମତାମତ ନେଉ ନଥାନ୍ତେ । ଅଂଶୁମାନଙ୍କ କଥା ଯାହା କୁହାଯାଉଛି କେହି କେହି ଏହାକୁ ଗ୍ରହଣ କରୁନାହାଁନ୍ତି । କିନ୍ତୁ ଯୋଗେଶ ଓ ପ୍ରଫୁଲ୍ଲଙ୍କ ଯିବା କଥା କେବେଠାରୁ ଆଲୋଚନା ଚାଲିଛି । ନବଙ୍କ ନାମ ପଛରେ ଆସିଛି । ନିକଟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ରାଉରକେଲା ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବା ଓ ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବା ଘଟଣାରେ କଂଗ୍ରେସ ପକ୍ଷରୁ ସଂଗୃହୀତ ଅର୍ଥରାଶୀ ନେଇ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଦେଇଥିଲେ । ସାଙ୍ଗରେ ସେ ନିକଟରେ ଦଳରେ ଯୋଗଦେଇଥିବା ବିଧାୟକ ଜଜ ତିର୍କୀଙ୍କୁ ସାଥୀରେ ନେଇଥିଲା ବେଳେ ଜିଲ୍ଲାର ଦୁଇ ଦଳୀୟ ବିଧୟକ ଯୋଗେଶ ଓ ପ୍ରଫୁଲ୍ଲଙ୍କୁ ନେଇ ନ ଥିଲେ । ଅଧିକାଂଶ ସମୟରେ ନବ, ଯୋଗେଶ ଓ ପ୍ରଫୁଲ୍ଲଙ୍କୁ ସଚିବାଳୟରେ ଦେଖିବାକୁ ମିଳୁଛି । ପ୍ରକାଶ ବେହେରାଙ୍କ କଥା ମଧ୍ୟ ବହୁ ଦିନରୁ ଆଲୋଚନା ଚାଲିଛି । ତାଙ୍କୁ ଯେତେବେଳେ ଦଳର ଜିଲ୍ଲାସଭାପତି ପଦରୁ ହଟାଗଲା ସେବେଠାରୁ ସେ ଅଧିକ ଅସନ୍ତୁଷ୍ଟ ହୋଇ ପଡ଼ିଛନ୍ତି । ତେଣୁ ଏମାନଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଯେପର୍ଯ୍ୟନ୍ତ ସାମିଲ ନ ହୋଇଛନ୍ତି ସେ ଯାଏଁ ନିର୍ଦ୍ଦଷ୍ଟ ଭାବେ କିଛି କହିବା ସମ୍ଭବ ନୁହେଁ ।
ବିଜେପିର ବିଧାୟକ ନିତିଶ, ରାଧାରାଣୀ ଓ ଦୁର୍ଯ୍ୟୋଧନ ଏବେ ଦଳୀୟ କାର୍ଯ୍ୟଧାରାରେ ସମ୍ପୂର୍ଣ୍ଣ ସାମିଲ ହୋଇପାରୁନାହାଁନ୍ତି । ବର୍ତମାନର ବୁଝାମଣା ଭିତରେ ସେମାନେ କିପରି ଦୂରେଇ ହୋଇଯାଇଛନ୍ତି । ଦଳପକ୍ଷରୁ ସେମାନଙ୍କୁ ସେତିକି ପ୍ରାଧାନ୍ୟ ମିଳୁ ନ ଥିବା କଥା ମଧ୍ୟ ଉଠୁଛି । ଏମାନେ ଦଳର କୌଣସି ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ ହେଉନାହାଁନ୍ତି । ବିଶେଷ କରି ରାଧାରାଣୀ ଓ ଦୁର୍ଯ୍ୟୋଧନ ଦଳର ବିଧାୟକ ଅଛନ୍ତି ଏକଥା ଆସ୍ତେ ଆସ୍ତେ ଅନେକଙ୍କ ମନରୁ ଦୂରେଇ ଗଲାଣି ।
Sign in
Sign in
Recover your password.
A password will be e-mailed to you.