Odia News Portal

ବିଜେପିକୁ କଂଗ୍ରେସର ଟାର୍ଗେଟ୍‌, କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ

ବାଲେଶ୍ୱର() ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଦଳ ତରଫରୁ ବିଜେପିକୁ ପଚରାଯାଇଛି କିଛି ପ୍ରଶ୍ନ । କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ । ସରକାରୀ ନର୍ସିଂ କଲେଜର ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ଏଯାଏଁ କାହିଁକି ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ଖୋଲା ମଞ୍ଚରେ ଆଲୋଚନା ପାଇଁ ବିଜେପିକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ବାଲେଶ୍ୱରବାସୀ ବିଜେପିକୁ ପ୍ରତ୍ୟାଖାନ କରନ୍ତୁ ବୋଲି ଅପିଲ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ସେପଟେ ଉପନିର୍ବାଚନ ପାଇଁ ସରଗରମ ବାଲେଶ୍ୱର ସଦର ରାଜନୀତି । ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି । କିଏ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛି, ତ’ ପୁଣି କିଏ ବୈଠକ ପରେ ବୈଠକ କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ସ୍ଥିର ଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତାକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ।

ସେହିପରି ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ବାପା ମଦନ ମୋହନ ଦତ୍ତଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଭୋଟ ଭିକ୍ଷା କରୁଛନ୍ତି ମାନସ । ସେପଟେ କଂଗ୍ରେସ୍‌ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀକରି ମହିଳା କାର୍ଡ ଖେଳିବାକୁ ଉଦ୍ୟମ କରିଛି ।