Odia News Portal

କୌଣସି ବିଧେୟକ ଆଣିବା ପୂର୍ବରୁ ରାଜ୍ୟ ଗୁଡିକର ମତ ଲୋଡିବା କଥା

ଭୁବନେଶ୍ୱର() ନିକଟରେ କେନ୍ଦ୍ର ସରକାର ୨ଟି କୃଷି ବିଲକୁ ସଂସଦରେ ଗୃହୀତ କରାଇଛନ୍ତି । ଏହି ବିଲ୍ କୃଷି ସ୍ୱାର୍ଥ ବିରୋଧୀ ବୋଲି ବିରୋଧୀମାନେ ଅଭିଯୋଗ କରିଆସିଛନ୍ତି । ଏପରିକି ଏହି ବିଲ୍ କୁ ଭାଜପା ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ଥିବା ଶିରୋମଣି ଅକାଳି ଦଳ ମଧ୍ୟ ବିରୋଧ କରିଥିଲା । ଏହି ଦଳର କ୍ୟାବିନେଟରେ ସଦସ୍ୟ ଥିବା ହରସିମରତ କୌର ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ବିଜୁ ଜନତା ଦଳ, ଟିଆରଏସ ପ୍ରମୁଖ ଆଞ୍ଚଳିକ ଦଳମାନେ ବିରୋଧରେ ସଂସଦରେ ମତ ରଖିଥିଲେ । ଏପରିକି ଏହାକୁ ତରବରିଆ ଭାବେ ଗୃହୀତ ନ କରାଇ ସିଲେକ୍ଟ କମିଟିକୁ ପଠାଇବା ପାଇଁ ମତ ଦେଇଥିଲେ ।

ଇତି ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ କୃଷି ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ବିରୋଧ ମତ ରଖିଛନ୍ତି । ଦାମୋଦର କହିଛନ୍ତି ଯେ, କୃଷି ଏକ ରାଜ୍ୟ ପ୍ରସଙ୍ଗ । ତେଣୁ ଏ ସମ୍ପର୍କିତ କୌଣସି ବିଧେୟକ ଆଣିବା ପୂର୍ବରୁ ରାଜ୍ୟ ଗୁଡିକର ମତ ଲୋଡିବା କଥା । ମାତ୍ର ମୋଦି ସରକାର ତାହା କଲେ ନାହିଁ । ଆମ ରାଜ୍ୟରେ ୧୨ ମାସରେ ୧୩ ପର୍ବ ହୁଏ, ସେହିପରି ଅନ୍ୟ କୌଣସି ରାଜ୍ୟରେ ଦେଖାଯାଇ ନ ଥାଏ । ନଇକେ ବାଙ୍କ୍, ଦେଶକେ ଫାଙ୍କ ଭଳି ପ୍ରତି ରାଜ୍ୟର କୃଷି ଅନ୍ୟଠାରୁ ଭିନ୍ନ । ଏହି ବିବିଧତାକୁ ନେଇ କୃଷି ସମ୍ପର୍କିତ ନିଷ୍ପତ୍ତି ହେବ କଥା । ମାତ୍ର କେନ୍ଦ୍ର ସରକାର, ତାହା କରୁ ନ ଥିବା ଦାମ ଅଭିଯୋଗ କରିଛନ୍ତି ।

କର୍ପୋରେଟ ଲବିକୁ ଖୁସି କରାଇବା ପାଇଁ ଏପରି କରାଯାଇଥିବା ରାଉତ ଅଭିଯୋଗ କରିଛନ୍ତି । ଅତୀତରେ ବିଶ୍ୱ ବାଣିଜିକ୍ୟ ସଙ୍ଗଠନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଏବଂ ସବସଡି ଉଚ୍ଛେଦ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ସବୁ କାରଣ ପାଇଁ ଏପରି ହୋଇଥିବା ଦାମ କହିଛନ୍ତି । ପୁନର୍ବାର ଦାମ କହିଛନ୍ତି, ବର୍ତ୍ତମାନ ଯେଉଁ ମାନଙ୍କର ଜମି ଅଛି, ସେମାନେ ଚାଷ କରୁ ନାହାନ୍ତି । ଭାଗଚାଷୀମାନେ ଚାଷ କରୁଛନ୍ତି । ତେଣୁ କୌଣସି ଦୁର୍ବିପାକ, ବିପର୍ୟ୍ୟୟ ହେଲେ ତାହାର ଫାଇଦା ତଥା ସରକାରୀ ସହୟତା ମୂଳ ଜମି ମାଲିକ ପାଉଛନ୍ତି । କଳାହାଣ୍ଡି ପରି କୃଷି ପ୍ରଧାନ ଜିଲାର ୭୧ ପ୍ରତିଶତ ଜମି ମାତ୍ର ୧୩ଟି ପରିବାର ହାତରେ ରହିଛି । ନିକଟରେ କେନ୍ଦ୍ର ସରକାର ଯେଉଁ ଏମଏସପି ଘୋଷଣା କରିଛନ୍ତି, ତାହା ଓଡ଼ିଆ ଚାଷୀଙ୍କ କାର୍ୟ୍ୟରେ ଲାଗିବ ନାହିଁ ବୋଲି ଦାମ ରୋକଠୋକ୍ ଶୁଣାଇ ଦେଇଛନ୍ତି ।