Odia News Portal

‘ଶଙ୍ଖ’ ଚିହ୍ନରେ ଲଢିବେ ସ୍ୱୟଂ ସହାୟକ ମହିଳା

ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଦୁଇଟି ପର୍ୟ୍ୟାୟ ନିର୍ବାଚନ ପାଇଁ ହୋଇଥିବା ୯ଟି ଲୋକସଭା ଆସନରୁ ୩ଟିରେ ମହିଳାଙ୍କୁ ପ୍ରାର୍ଥୀ କରି କଥା ରଖିଛନ୍ତି ନବୀନ । ଆଉ ଏହାରି ଭିତରେ ଏବେ ଚର୍ଚ୍ଚାର ପରିସରରେ ରହିଛି ଆସ୍କା ନିର୍ବାଚନ ମଣ୍ଡଳୀ ।

ଏସଏଚଜିଙ୍କୁ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳାଙ୍କ ଉପରେ ଫୋକସ କରିଛି ବିଜୁ ଜନତା ଦଳ । ଏସଏଚଜି ଗ୍ରୁପ ଗୁଡିକ ପାଇଁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ପ୍ରକାର ଯୋଜନାମାନ ଘୋଷଣା କରିଥିବା ବେଳେ, ଆଗାମୀ ନିର୍ବାଚନ ପାଇଁ ଏସଏଚଜି ଗ୍ରୁପର ଜଣେ ସଦସ୍ୟାଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି ନବୀନ । ଆସ୍କା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ପ୍ରମିଳା ବିଶୋୟୀ, ନଳବନ୍ତର ସତସଙ୍ଗ ଏସଏଚଜି ଗ୍ରୁପର ଜଣେ ସଦସ୍ୟା ଅଟନ୍ତି ।

ତେବେ କୁହାଯାଉଛି, ବିଜେଡି ପୂର୍ବରୁ ମହିଳା ଭୋଟ୍ ବ୍ୟାଙ୍କ ଉପରେ ଫୋକସ କରିଥିବା ବେଳେ, ଏସଏଚଜି ଗ୍ରୁପର ଜଣେ ସଦସ୍ୟାଙ୍କୁ ଲୋକସଭା ପ୍ରାର୍ଥୀ କରିବା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।