Odia News Portal

୧୦୦ ନୁହେଁ ୧୧୭ରୁ ଅଧିକ ଆସନ ଜିତିବ ବିଜେଡି

ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ପୂର୍ବରୁ ପ୍ରକାଶିତ ଇଣ୍ଡିଆ ଟିଭିର ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ବିଜେଡି 147 ବିଧାନସଭାରୁ 100ଟି ଆସନ ଜିତିବ । ବିଜେପି 31ଟି, କଂଗ୍ରେସ 9ଟି ଏବଂ ଅନ୍ୟମାନେ 7ଟି ଆସନ ଦଖଲେ କରିବେ । ସେହିଭଳି ଲୋକସଭାରେ 21ଟିରୁ 14ଟି ବିଜେଡି ଦଖଲ କରିବ ।

ଏଭଳି ପୋଲ ସର୍ଭେକୁ ଆଜି ବିଜେଡି ଖୋଲାଖୋଲି ଖଣ୍ଡନ କରିଛି । ଆଉ ଦାବି କରିଛି ଯେ, ବିଜେଡି ଗତ ବିଧାନସଭାର 117ରୁ ଅଧିକ ଆସନ ଜିତିବ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ଏହି ସର୍ଭେ ରିପୋର୍ଟଟି ବିଜେପି ସପକ୍ଷବାଦୀଙ୍କ ମତାମତକୁ ନେଇ ତିଆରି ହୋଇଛି । ଏହାଦ୍ବାରା ଦେଶରେ ଏନଡିଏ ବିପକ୍ଷରେ ଉଠୁଥିବା ସରକାର ବିରୋଧୀ ହାୱାକୁ ଚପେଇ ଦେବାକୁ ଉଦ୍ୟମ କରାଯାଉଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର କହିଛନ୍ତି ଯେ, ଦଳ ଏଥର ପୂର୍ବ ଅପେକ୍ଷା ଅଧିକ ସିଟ ଜିତବ । ଏପରିକି ଲୋକସଭା କ୍ଷେତ୍ରରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ସର୍ଭେ ରିପୋର୍ଟକୁ ପ୍ରତ୍ୟାକ୍ଷାନ କରି ସସ୍ମିତ କହିଛନ୍ତି ଯେ, ବିଜେଡି ଗତ ନିର୍ବାଚନ ତୁଳନାରେ ଅଧିକ ଆସନ ପାଇବୁ । ଓଡିଶାରେ ବିଜେଡି ବିରୋଧରେ ସରକାର ବିରୋଧୀ ହାୱା ନାହିଁ । କିନ୍ତୁ କେନ୍ଦ୍ରରେ ମୋଦି ସରକାର ବିରୋଧରେ ସରକାର ବିରୋଧୀ ହାୱା ରହିଛି ।

ଲୋକସଭା ଆସନରୁ ବିଜୟ ସମ୍ଭାବନା ନେଇ ସେ କହିଛନ୍ତି ଯେ, ବିଜେଡି 21ଟି ଲୋକସଭା ଆସନରୁ 20ଟିରେ ନିଶ୍ଚିତ ବିଜୟ ବାନା ଉଡାଇବ । ବିଜେଡି ଗତ 20 ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ବିକାଶ ମୂଳକ କାମ କରିଛି । ସେହି ବିକାଶ ଏଜେଣ୍ଡାକୁ ନେଇ ଦଳ ଲୋକଙ୍କ ପାଖକୁ ଯାଉଛି ଏବଂ ଲୋକ ଏଥିପାଇଁ ଆମ ଉପରେ ଖୁସୀ । ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ, ବିଜେପି 2014ରେ ଯେତିକି ଆସନ ଜିତିଥିଲା ଏଥର ସେତିକି ଆସନ ଜିତି ପାରିବନି ।

ଏହି ସର୍ଭେ ମାର୍ଚ୍ଚ 24ରୁ 31 ମଧ୍ୟରେ କରାଯାଇଥିଲା । ଏଥିରେ 65 ହଜାର 160ଜଣ ଲୋକଙ୍କ ମତାମତ ନିଆଯାଇଥିଲା । ସେ ମଧ୍ୟରୁ 34ହଜାର 272 ଜଣ ପୁରୁଷ ଏବଂ 30 ହଜାର 888 ଜଣ ମହିଳା ମତଦାତା ଥିଲେ ।