Odia News Portal

ବିଜେପିରେ ମିଶିବାକୁ ନେତା ଅମଙ୍ଗ

ଭୁବନେଶ୍ୱର : ବିଜେପିରେ ଯୋଗଦେବାକୁ ରାଜ୍ୟରେ ନେତାମାନେ ଏେବେ ଅମଙ୍ଗ । ବିଶେଷକରି କଂଗ୍ରେସ ଓ ବିଜେଡିର କୌଣସି ନାମଜାଦା ନେତା ଦଳ ଛାଡି ପଦ୍ମ ଧରିବାକୁ ମଙ୍ଗୁ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଓଡିଶା ଗସ୍ତ ସମୟରେ ସେଭଳି କୌଣସି ବଡ ମିଶ୍ରଣପର୍ବର ଯୋଜନା ନଥିବା ଜଣାଯାଇଛି ।
ଗତ କିଛିଦିନ ଧରି ବିଜେପିକୁ ଏକ ପ୍ରକାର ନେତାଙ୍କ ସୁଅ ଛୁଟିଥିଲା । ପ୍ରାୟ ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରୁ ଛୋଟ, ବଡ ନେତାମାନେ ଆସି ବିଜେପିରେ ମିଶୁଥିଲେ । ଏଥିପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବା ସହିତ ନୂଆ ନେତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ସ୍ୱାଗତ କରାଯାଉଥିଲା । ଏହାକୁ ଗଣମାଧ୍ୟମରେ ବିଶେଷ ଭାବେ ପ୍ରଚାର ବି କରାଯାଉଥିଲା । ହେଲେ ଆଇଏଏସ୍‍ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀଙ୍କ କ୍ଷେତ୍ରରେ ଏହି ଧାରାରେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଅପରାଜିତା ରାଜ୍ୟ ବିଜେପି କାର୍ଯ୍ୟାଳୟ ବଦଳରେ ସିଧା ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ବାସଭବନରେ ଯାଇ ଦଳର ସଦସ୍ୟତା ଗ୍ରହଣ କରିଥିଲେ ।
ବିଜେପି ଭଳି ଶାସକ ବିଜେଡି ଦଳରେ ମଧ୍ୟ ମିଶ୍ରଣ ପର୍ବ ଜାରି ରହିଛି । ନିୟମିତ ବ୍ୟବଧାନରେ ରାଜ୍ୟର ବିଭନ୍ନ ସ୍ଥାନରୁ ଆସି ଅନ୍ୟ ଦଳର ନେତାମାନେ ବିଜେଡିରେ ଯୋଗ ଦେଉଛନ୍ତି । ବିଜେଡିର ଏହି ମିଶ୍ରଣ ପର୍ବ ସଧାରଣତଃ ନବୀନ ନିବାସରେ ଅନୁଷ୍ଠିତ ହେଉଛି । ଅନ୍ୟ ଦଳରୁ ନେତାଙ୍କୁ ଆଣି ନିଜ ଦଳରେ ମିଶାଇବା ଓ ତାହାକୁ ଗଣମାଧ୍ୟମରେ ପ୍ରଚାର କରିବା ଉଭୟ ବିଜେଡି ଓ ବିଜେପିର ଏକ ପ୍ରକାର ପତିଆରା ପ୍ରଶ୍ନ ପାଲଟିଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୨୪ ତାରିଖ ଗସ୍ତ ସମୟରେ ଦଳରେ ଏକ ବଡ ମିଶ୍ରଣପର୍ବ ହେବବୋଲି ଯେଉଁ ଆଶା କରାଯାଉଥିଲା ତାହା ମିଳେଇ ଯାଇଛି । ଦଳ ଛାଡିଥିବା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ବଦଳରେ ବିଜେଡି ଓ କଂଗ୍ରେସରୁ କିଛି ଆଗଧାଡିର ନେତାଙ୍କୁ ଆଣି ବିଜେପିରେ ମିଶାଇବାର ଯେଉଁ ଯୋଜନା ହୋଇଥିଲା ତାହା ବାତିଲ ହୋଇଛି । ଏପରିକି ସେହିଦିନ ବିଜେଡିରୁ ବିଦା ହୋଇଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପଦ୍ମ ଧରିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବ୍ରେକ୍‍ ଲାଗିଛି । ଖୋଦ୍‍ ବୈଜୟନ୍ତ ଏହା ହେଉନଥିବା କହିଛନ୍ତି ।
ତେବେ ମିଶ୍ରଣ ପାଇଁ ସବୁକିଛି ଠିକ୍‍ଠାକ୍‍ ଚାଲିଥିବାବେଳେ ୫ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପଦ୍ମ ଧରିବାକୁ ସଜ ହୋଇ ବସିଥିବା ନେତାଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି । ଏବେ ସେମାନେ ବିଜେପି ବଦଳରେ ବିଜେଡି କିମ୍ବା କଂଗ୍ରେସକୁ ଯିବାକୁ ଗୋଡ ଟେକୁଥିବା ଲକ୍ଷ୍ୟ କରାଯାଉଛି । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପିକୁ ମାତ୍‍ ଦେଇଥିବା କଂଗ୍ରେସ ଏବେ ଦଳଡିଆଁଙ୍କ ପ୍ରଥମ ପସନ୍ଦ ହୋଇଥିବାବେଳେ ବିଜେଡିକୁ ଯିବାପାଇଁ ବି ଅନେକ ଚାହିଁ ବସିଛନ୍ତି ।