Odia News Portal

ଅମାନତ ହରା ପ୍ରାର୍ଥୀଙ୍କୁ ନେଇ ସରକାର ଗଠନର ଅଭିଯାନ

ଭୁବନେଶ୍ବର () ଘର ତିଆରି ସମୟରେ ଭିତ୍ତିଭୂମୀକୁ ଯେମିତି  ସୁଦୃଢ କରିବାକୁ ପଡିଥାଏ, ରାଜ୍ୟରେ ଶାସନ ଭାର ନେବାକୁ ହେଲେ ତୃଣମୂଳ ସ୍ତରରେ ସଂଗଠନକୁ ସେତିକି ମଜବୁତ କରିବାକୁ ପଡିଥାଏ । ଓଡିଶାରେ ମିଶନ 120 ପ୍ଲସର ନାରା ଦେଇ ସରକାର ଗଠନର ଦାବି କରୁଥିବା ରାଜ୍ୟ ଶାଖା ବିଜେପି ସେହିଭଳି ନିଅଁ ଦୁର୍ବଳ । ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରାୟ 50 ପ୍ରତିଶତ ଅମାନତ ହରା ପ୍ରାର୍ଥୀଙ୍କୁ ନେଇ ଦଳ ସରକାର ଗଠନର ଅଭିଯାନ କରୁଛି ।

ଗତ ସଧାରଣ ନିର୍ବାଚନରେ ବିଜେପି 147ଟି ବିଧାନସଭା ଆସନରେ ଲଢିଥିବା ବେଳେ 77ଟି ଆସନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇଥିଲେ । ତେବେ ବିଜେପି ପ୍ରାର୍ଥୀ 10ଟି ବିଧାନସଭା କ୍ଷେତ୍ରରୁ ଜିତିଥିଲେ । 2014ରେ ପ୍ରଚଣ୍ଡ ମୋଦି ହ୍ବାଆ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ପାଇଥିଲା । କିନ୍ତୁ ରାଜ୍ୟରେ ମୋଦି ହାୱା କାମ ଦେଇନଥିଲା । ବିଧାନସଭାରେ ବିଜେପି ଆସନ ସଂଖ୍ୟା 6ରୁ 10କୁ ବଢିଥିଲେ ବି 77 ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ । ଦଳର ଜଣେ ମାତ୍ର ସଂସଦ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡି ଗତ ନିର୍ବାଚନରେ 93 ଲକ୍ଷ 35 ହଜାରରୁ ଅଧିକ ଭୋଟ ଅର୍ଥାତ ଦଳର ଭୋଟ ହାର ଥିଲା 43.41 ପ୍ରତିଶତ । ସେହି ଅନୁପାତରେ ବିଜେପି 38 ଲକ୍ଷ 74ହଜାରରୁ ଅଧିକ ଭୋଟ ଅର୍ଥାତ 18.02 ପ୍ରତିଶତ ଭୋଟ ପାଇଥିଲା ।

ସେହିଭଳି କଂଗ୍ରେସ ମଧ୍ୟ ନୂଆ ନେତୃତ୍ବରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବ ବୋଲି ଦାବି କରୁଛି । 2014ରେ କଂଗ୍ରେସର 40 ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ । କଂଗ୍ରେସ ସପକ୍ଷରେ 55 ଲକ୍ଷ 35 ହଜାର ଅର୍ଥାତ 25.74 ପ୍ରତିଶତ ଭୋଟ ପାଇଥିଲା । ଦଳ ତରଫରୁ ବିଭିନ୍ନ ସାମ୍ବାଦିକ ସମ୍ମିଳନୀ ଓ ଟିଭି ଆଲୋଚନାରେ ଦମଦାର ଲଢେଇ କରୁଥିବା ନେତାମାନେ ନିର୍ବାଚନ ଜିତିବାକୁ ସକ୍ଷମ ହୋଇନାହାଁନ୍ତି । ବିଜେପିର ସେହିଭଳି କୁହାଳିଆ ନେତାମାନେ ନିର୍ବାଚନ ଜିତିବା ଦୂରର କଥା ଅମାନତ ମଧ୍ୟ ରକ୍ଷା କରିପାରିନାହାଁନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ବିଜେପି ଓ କଂଗ୍ରେସ କିଛି ହାରୁ ପାର୍ଟିଙ୍କ କାନ୍ଧରେ ସାହା ହୋଇ ସରକାର ଗଠନର ସ୍ବପ୍ନ ଦେଖୁଛନ୍ତି ।