Odia News Portal

ଚିଲିକା ନିର୍ବାଚନମଣ୍ଡଳୀର ନୂଆ ସମ୍ଭାବନା ମାନସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ପ୍ରାର୍ଥୀ ଚୟନର ମୁଖ୍ୟ ଓ ଏକମାତ୍ର ମାନଦଣ୍ଡ ବିଜୟ ସମ୍ଭାବନା ବୋଲି କହିବା ପରେ ନବୀନ ନିବସକୁ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନେ ନିଜ ନିଜର ଆବେଦନ ନେଇ ପହଞ୍ଚିଥିଲେ । ଏମିତିତ ସବୁ ନିର୍ବାଚନମଣ୍ଡଳୀରୁ ନବୀନ ନିବସକୁ ଆଶାୟୀ ଆସୁଛନ୍ତି, ହେଲେ ଆଜି ସବୁଠୁ ଚର୍ଚ୍ଚିତ ଥିଲେ ଚିଲିକା ନିର୍ବାଚନମଣ୍ଡଳୀ । ଏହି କ୍ଷେତ୍ରରୁ କିଏ ପ୍ରାର୍ଥୀ ହେବେ । ଏହି ଆସନରୁ ପୂର୍ବରୁ ପ୍ରାର୍ଥୀ ହେଉଥିବା ରଘୁନାଥ ସାହୁଙ୍କ ବିରୋଧରେ ଅସନ୍ତୋଷ ବଢୁଛି । ଆଉ ଯୁବ ନେତା ଭାବେ ଉଭା ହୋଇଛନ୍ତି ମାନସ ମଙ୍ଗରାଜ ।

ଆଜି ସ୍ଥାନୀୟ ବିଜେଡ଼ିର ଏକ ଶକ୍ତିଶାଳୀ ଗୋଷ୍ଠୀ ମାନସଙ୍କ ସମର୍ଥନରେ ଆସି ନବୀନ ନିବାସରେ ପହଂଚିଛି। ସେମାନେ ନବୀନ ନିବାସ ଆସି ମାନସଙ୍କୁ ପ୍ରାର୍ଥୀ କରିବାକୁ ସୁପ୍ରିମୋଙ୍କ ନିକଟରେ ଗୁହାରି କରିଛନ୍ତି । ପୂର୍ବତନ ବିଧାୟକ ରଘୁ ସାହୁଙ୍କ ବିରୋଧରେ ସୁପ୍ରିମୋଙ୍କୁ ଲମ୍ବା ଅଭିଯୋଗଫର୍ଦ୍ଦ ଦେଇଥିଲେ ।

ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ ସେନ୍, ମାନସ ରଂଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା ଆଦିଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଆଜି ନବୀନ ନିବାସ ଆସି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ରଘୁନାଥ ସାହୁଙ୍କୁ ପୁନର୍ବାର ପ୍ରାର୍ଥୀ କରାଗଲେ ଦଳର ବିଜୟ ସମ୍ଭାବନା ନାହିଁ ବୋଲି ସେମାନେ ରୋକଠୋକ ଜଣାଇ ଦେଇଥିଲେ । ସେମାନଙ୍କର ଅଭିଯୋଗ ଥିଲା, ବିଧାୟକ ଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ରଘୁ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି । ବରଂ ଅନେକ ଅପବାଦରେ ଛନ୍ଦି ହୋଇଛନ୍ତି । ଦଳୀୟ କର୍ମୀମାନଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ସାଧାରଣ କର୍ମୀ ଓ ଅଞ୍ଚଳବାସୀଙ୍କ ବିଶ୍ୱାସଭାଜନ ବହୁ ପୂର୍ବରୁ ହରାଇ ସାରିଛନ୍ତି ।

ଅପରପକ୍ଷରେ, ମାନସ ମଙ୍ଗରାଜଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ସେମାନେ ଦୃଢ଼ ମତ ରଖିଥିଲେ । ସେମାନଙ୍କର ଯୁକ୍ତି ଥିଲା, ମାନସ ଜଣେ ଉଚ୍ଚଶିକ୍ଷିତ ଯୁବକ ଏବଂ ଦୀର୍ଘ ବର୍ଷ ଧରି ଚିଲିକାବାସୀଙ୍କ ସମସ୍ୟା ସହ ବିଶେଷ ଭାବେ ଜଡ଼ିତ । ଚିଲିକାବାସୀଙ୍କ ସୁଖଦୁଃଖରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳିଥାଏ । ବିଜେଡ଼ିକୁ ଆସିବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିଛନ୍ତି । ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ସବୁବର୍ଗର ଭୋଟରଙ୍କ ମଧ୍ୟରେ ଆଦୃତ ହେଉଛନ୍ତି । ତାଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ, ସୁସଂଗଠକ ଓ ଅମାୟିକ ଯୁବ ନେତୃତ୍ୱଙ୍କୁ ଟିକେଟ ଦେଲେ ଦଳର ପତିଆରା ବଢ଼ିବା ସହ ବିଜୟ ସୁନିଶ୍ଚିତ ବୋଲି ଜଣାଇ ଦେଇଥିଲେ ।