Odia News Portal

ମଂଜୁଳା ଦେବୀ ସରାଫ୍ କିଏ ?

ଭୁବନେଶ୍ୱର () କଳାଧନ ଓ ମନି ଲଣ୍ଡ୍ରିଂ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ତଦନ୍ତରେ ବିଳମ୍ବ ହେଉଥିବା ପ୍ରଶ୍ନ ଉଠିଛି । ଏଣେ ଏହି ମାମଲାରେ ପଣ୍ଡା ଦଂପତିଙ୍କ ଘନିଷ୍ଠ କୁହାଯାଉଥିବା ମଂଜୁଳା ଦେବୀ ସରାଫଙ୍କର ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି । ତେବେ କିଏ ଏହି ମଂଜୁଳା ଦେବୀ ସରାଫ୍ ? ମଂଜୁଳା ଦେବୀ କାଲୋରେକ୍ସ ହୋଲଡିଂସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅଛନ୍ତି । ସେ ଓରଟେଲର ନିର୍ଦ୍ଦେଶିକା ଥିବା ସହ ଓଟିଭି ଓ କିଷାନଗଡ ପରିବେଶ ଉନ୍ନତି ବିଭାଗର ନିର୍ଦ୍ଦେଶିକା ବି ଥିଲେ । ଆହୁରି ମଧ୍ୟ ଜଣାପଡିଛି ଯେ, ମଂଜୁଳା ଦେବୀ ସରାଫ ଓଡିଶାର କଳାହାଣ୍ଡି ଜିଲ୍ଲାର ବାସିନ୍ଦା ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ ଆଇଏମଏଫଏ-ଇମ୍ଫାରେ ମଧ୍ୟ କାର୍ଯ୍ୟରତ ଥିଲେ ।

ଅଭିଯୋଗ ହେଉଛି ଯେ, ମଂଜୁଳା ଦେବୀ ସରାଫଙ୍କର ବିବାଦୀୟ ବାବା ସ୍ୱାମୀ ନିତ୍ୟାନନ୍ଦଙ୍କ ସହ ସଂପର୍କ ରହିଛି । ନିତ୍ୟାନନ୍ଦ ବିଭିନ୍ନ ଅପରାଧିକ ମାମଲାରେ ବର୍ତମାନ ଫେରାର ଅଛନ୍ତି । ଦିଲ୍ଲୀ ପବ୍ଲିକ ସ୍କୁଲ୍ ଚଳାଉଥିବା ନିତ୍ୟାନନ୍ଦ ଆଶ୍ରମକୁ ନେଇ ପୋଲିସ ଯାଂଚ କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସ୍କୁଲଟି ମଂଜୁଳା ସରାଫଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ନିତ୍ୟାନନ୍ଦଙ୍କ ସେକ୍ସ ରାକେଟ ଚଳାଇବା ଓ ଅନେକ ଦୁର୍ନୀତି ମାମଲା ରହିଛି । ଗୁଜରାଟ ଏକ୍ସକ୍ଲୁସିଭ ସହିତ ଏକ ଭିଡିଓ ରିପୋର୍ଟରୁ ଜଣାପଡିଛି ଯେ, ନିତ୍ୟାନନ୍ଦ ଓ ମଂଜୁଳା ସରାଫଙ୍କ ମଧ୍ୟରେ ଅତି ନିବିଡ ସଂପର୍କ ରହିଛି । ଭିଡିଓରେ ମଂଜୁଳା ସରାଫ ଲୋକଙ୍କୁ ନିତ୍ୟାନନ୍ଦଙ୍କ ଚମତ୍କାର ସଂପର୍କରେ କହୁଥିବା ଦେଖାଯାଇଛି ।
୨୦୧୦ରେ ସନ୍ ଟିଭି ନିତ୍ୟାନନ୍ଦଙ୍କ ସେକ୍ସ ରାକେଟ୍ ସଂପର୍କିତ ଏକ ଭିଡିଓ ଜାରି କରିଥିଲା । ଫରେନସିକ୍ ରିପୋର୍ଟ ଅନୁସାରେ ଭିଡିଓଟି ସତ ବୋଲି ଜଣାପଡିଥିଲା । ନିତ୍ୟାନନ୍ଦ ବିରୋଧରେ କୋର୍ଟ ଶୁଣାଣି ପୂର୍ବରୁ ସେ ଦେଶ ଛାଡି ପଳାଇଥିଲେ । ସେ ବିଦେଶରେ ଏକ ଦ୍ୱୀପ କିଣି ତାକୁ କୈଳାସ ନାମରେ ନାମକରଣ କରିଥିବା ଗତବର୍ଷ ରିପୋର୍ଚରେ ପ୍ରକାଶ ପାଇଥିଲା । ଏଭଳି ଜଣେ ପଳାତକ ଓ ଭଣ୍ଡ ବାବାଙ୍କ ସହ ସଂପର୍କ ରଖିଥିବା ମଂଜୁଳାଙ୍କ ସହ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ସଂପର୍କ ମାମଲାକୁ ଆହୁରି ଜଟିଳ କରିଛି ।

ମଂଜୁଳା ଦିନେ ଇମ୍ଫାରେ ଚାକିରୀ କରୁଥିଲେ । ସେତେବେଳେ ସେ ବୈଜୟନ୍ତଙ୍କ ଆସିଷ୍ଟାଂଟ୍ ଭାବେ କାମ କରୁଥିଲେ । ପରେ ଅରଟେଲ୍ ଓ ଓଟିଭିରେ ମଧ୍ୟ ଅନ୍ୟତମ ନିର୍ଦ୍ଦେଶିକା ଭାବେ ଅବସ୍ଥାପିତ ଥିଲେ । ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଆସିଛି । ମଂଜୁଳା ସରାଫଙ୍କ ମଧ୍ୟ ବାହାମାସ ଲିଙ୍କ ଥିବା ସାମ୍ନାକୁ ଆସିଛି ।

ଆଶ୍ଚର୍ଯ୍ୟର କଥା ହେଲା, ମଂଜୁଳା ସରାଫ କୌଣସି ଜଣାଶୁଣା ବ୍ୟବସାୟ ନ ଥିବା ଏକକ ବ୍ୟକ୍ତି । କିନ୍ତୁ ସେ ୨୪ଟି କଂପାନିର ନିର୍ଦ୍ଦେଶକ ଅଛନ୍ତି । ପୂର୍ବରୁ ସେ ଅରଟେଲ ଓ ଓଟିଭିର ମଧ୍ୟ ନିର୍ଦ୍ଦେଶିକା ଥିଲେ । ବର୍ତମାନ ମଂଜୁଳା ଅର୍ଥ ହେରଫେର ନେଇ ଚର୍ଚ୍ଚାରେ ଅଛନ୍ତି । ଏଥିରୁ ପଣ୍ଡା ପରିବାରର ମାଲିକାନା କଂପାନି ଅରଟେଲ୍ କମ୍ୟୁନିକେସନ ଲିମିଟେଡକୁ ମଧ୍ୟ ବାହାମାସ ସେଲ୍ କଂପାନିରୁ ଟଙ୍କା ଯାଇଛି । ବାହାମାସରୁ ପ୍ରାୟ ୧୮ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି ।