ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ତୃତୀୟ ନିର୍ବାଚନୀ ପ୍ରଚାର ବେଳେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନଥିବାରୁ ଓଡିଶା ପଛୁଆ । ଓଡିଶାକୁ ପଛୁଆ କରି ରଖିବା ପଛରେ ବିଜେଡି ଓ କଂଗ୍ରେସକୁ ଅତି କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ଶାଣିତ ସମାଲୋଚନା କରିଛନ୍ତି ।
ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ନିର୍ବାଚନ ପ୍ରଚାର । ଜୟପୁର ଓ ଭବାନୀପାଟଣା ପରେ ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ପହଂଚିଛନ୍ତି ମୋଦି । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ନିର୍ବାଚନୀ ସଭାରୁ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାରେ କୋଇଲା ଅଛି, ଧାତୁ ଅଛି ଜଳ ଅଛି ଆଉ ଜଙ୍ଗଲ ବି ଅଛି । ତଥାପି ଓଡିଶା ପଛୁଆ । ଏହାର କାରଣ ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନାହିଁ । କେବଳ ବିଜେଡି ନୁହେଁ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାମନ୍ତ୍ରୀ । କାରଣ ରାଜ୍ୟରେ ବିଜେଡି ସରକାର ପୂର୍ବରୁ କ୍ଷମତାରେ ଥିଲା କଂଗ୍ରେସ । ବିକାଶ ପାଇଁ ସବୁ ସଂସାଧନ ଥାଇ ସୁଦ୍ଧା ଓଡିଶାକୁ ପଛୁଆ କରି ରଖିବା ପଛରେ ଏହି ଦୁଇ ଦଳର ଉଦ୍ଦେଶ୍ୟକୁ ଅତି କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଗରିବଙ୍କ ଭିତରେ ରାଜନୀତିର ଫସଲ ଦେଖୁଛନ୍ତି ଦୁଇ ଦଳ ।