Odia News Portal

ହାରିବା ଭୟରେ ବିଜେପି ଏବେ ଛାନିଆ: ନବୀନ

ସମ୍ଭଲପୁର() ଆସନ୍ତା ୨୩ ତାରିଖରେ ରାଜରେ ହେବାକୁ ଥିବା ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ଆଜି ସମ୍ଭଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ନବୀନ ।
ନବୀନ କହିଛନ୍ତି ଚଳିତଥର ନିର୍ବାଚନରେ କୌଣସି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ହାରିବା ଭୟରେ ବିଜେପି ଏବେ ଛାନିଆ ହୋଇପଡିଛି । କେନ୍ଦ୍ରରେ ଆଂଚଳିକ ଦଳଗୁଡିକ ହିଁ ସରକାର ଗଠନରେ ସାଜିବେ କିଙ୍ଗ ମେକର ବୋଲି ଆଜି ପୁଣି ଥରେ ନିର୍ବାଚନୀ ସଭାରେ ଦୋହରାଇଛନ୍ତି ନବୀନ ।
କେନ୍ଦ୍ରର ବଡ ବଡ ନେତା ନିର୍ବାଚନ ସମୟରେ ଓଡିଶା ଆସୁଛନ୍ତି । କିନ୍ତୁ ଫାଇଲିନ, ହୁଡୁହୁଡ , ତିତିଲି ଏବଂ ମରୁଡି ସମୟରେ କୁଆଡେ ଯାଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଧାନର ଏମଏସପି କୁଆଡେ ଗଲା, ମହାନଦୀ ପାଣି କାହିଁକି ବନ୍ଦ କଲେ, ଅନୁସୂଚିତ ଜାତି ଏବଂ ଜନଜାତି ପିଲାଙ୍କ ଛାତ୍ରବୃତିକୁ କାହିକିଁ ବନ୍ଦ କଲେ ବୋଲି ପ୍ରଶ୍ନ କରିବା ସହ ଏହାର ଜବାବ ଭୋଟରେ ଦେବାକୁ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ସରକାର ଚକ୍ରାନ୍ତ କରିଛି । ୪୦ ଲକ୍ଷ ଚାଷୀ ଏହାର ସୁଫଳ ପାଇଛନ୍ତି । ମୁଁ ଥିବା ପର୍ୟ୍ୟନ୍ତ ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବିଜେଡି ପୁନର୍ବାର ସରକାର ଗଠନ କରିବାର ପ୍ରଥମ ଦିନରେ ହିଁ ‘କାଳିଆ’ର ୨ଟି କିସ୍ତିର ଟଙ୍କା ଚାଷୀଙ୍କୁ ଦିଆଯିବ କହି ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିଛନ୍ତି ନବୀନ ।