Odia News Portal

ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ତାର ହକରୁ ବଞ୍ଚିତ ହେଉଛି : ନବୀନ

ଭୁବନେଶ୍ୱର ()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ୟ୍ୟାୟ ପାଇଁ ପ୍ରଚାର କରୁଛନ୍ତି ନବୀନ । ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରୁଛନ୍ତି । ଢେଙ୍କାନାଳର ପରଜଙ୍ଗ ଓ ଅନୁଗୁଳର ବନ୍ତଳା ନିର୍ବାଚନ ସଭାରେ ଜୋରଦାର ବର୍ଷିଛନ୍ତି ନବୀନ।

ବିଜେପି ନେତାଙ୍କ ପାଇଁ ଓଡ଼ିଶା ହକରୁ ବଂଚିତ ହୋଇଛି । ୫ ମିନିଟର କାମ ୫ ବର୍ଷରେ ହୋଇ ପାରିଲା ନାହିଁ । କୋଇଲା ରୟାଲିଟି ନିୟମ ସଂଶୋଧନ କାହିଁକି ହୋଇନି ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ । କୋଇଲା ରୟାଲିଟିରୁ କେନ୍ଦ୍ର ଅଧିକ ଲାଭବାନ ହେବାସହ ହଜାର ହଜାର କୋଟି ଟଙ୍କା ପାଉଛି । ହେଲେ କେହିବି ସ୍ଥାନୀୟ ଅଂଚଳର ବିକାଶ ପ୍ରତି ଯତ୍ନଶୀଳ ନୁହଁନ୍ତି ।

କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି। କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ସେ ଥିବା ପର୍ୟ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନାହିଁ ବୋଲି କହିଛନ୍ତି ନବୀନ। ସରକାର ଆସିବାର ପ୍ରଥମ ଦିନରେ ସବୁ ଚାଷୀଙ୍କୁ ଦୁଇଟି କିସ୍ତିର ୧୦ହଜାର ଟଙ୍କା ମିଳିବ। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ୫ହଜାର କୋଟିର ବ୍ୟବସାୟ ମିଳିବ। ମହିଳାମାନେ ହେଉଛନ୍ତି ବିକାଶର ଡବଲ ଇଞ୍ଜିନ। ନିର୍ବାଚନ ହେଲେ ବିଜେପିର ବଡ଼ବଡ଼ ନେତା ଓଡ଼ିଶା ଆସୁଛନ୍ତି। କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନାହାନ୍ତି।

ବିଜେପି ନେତାମାନେ କଂଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି କି ? ଜାଣିଶୁଣି ଓଡ଼ିଶା ଯୁବକଙ୍କୁ ଅଣଦେଖା କରାଯାଉଛି । ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁନି । ଏସବୁ ସତ୍ୱେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଚୁପ ଅଛନ୍ତି ।