Odia News Portal

ଗୁରୁ ହତ୍ୟାକାରୀ ଏବେ ପୋଲିସ୍‍ ସେବାକାରୀ

ଭୁବନେଶ୍ୱର : ଛାତ୍ର ରାଜନୀତିରେ ଆଗକୁ ବଢିବାପାଇଁ ନିଜର ଦୁଇ ଦୁଇଜଣ ଗୁରୁଙ୍କୁ ଏକ ପ୍ରକାର ହତ୍ୟା କରିଥିବା ଜଣେ ଛାତ୍ରନେତା ଏବେ କମିଶନରେଟ ପୁଲିସ୍‍ ସେବାକାରୀ ସାଜିଥିବା ଅଭିଯୋଗ ହେଉଛି । ବାଣୀବିହାରର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ସିଲଟ ଧରାଇ ହରଡଘଣାରେ ପଡିଥିବା କମିଶନରେଟ ପୁଲିସ୍‍ର ଭାବମୂର୍ତ୍ତି ସଜାଡିବାପାଇଁ ଏହି ଛାତ୍ରନେତା ଜଣଙ୍କ ଏବେ ଠିକା ନେଇଥିବା ବିଶ୍ୱବିଦ୍ୟାଳୟ ପରିସରରେ ଚର୍ଚ୍ଚାର ବିଷୟ ହୋଇଛି ।
ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ କହିଛନ୍ତି ଯେ ପୁଲିସ୍‍ ଛାତ୍ରନେତା ହାତାହାତି ହେବା କିଛି ନୂଆକଥା ନୁହେଁ । ଯେତେବେଳେ ଏଭଳି ଘଟେ ପୁଲିସ୍‍ କେତେକ ଛାତ୍ରଙ୍କୁ ଧରି ହାଜତକୁ ପଠାଇଥାଏ । ହେଲେ ଏଥର ଯେଭଳି ବିଜେପି ଓ କଂଗ୍ରେସ ଚାପରେ ଚାପିହୋଇ କମିଶନରେଟ ପୁଲିସ୍‍ ଛାତ୍ର ସଂସଦର ପୂର୍ବତନ ସଭାପତି ଓ ବିଜୁ ଛାତ୍ର ଜନତାଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଥାନାରେ ସିଲଟ ଧରାଇ ଫଟୋ ଉଠାଇଲା ତାହା ପୁଲିସ୍‍ର ତାଲିବାନୀ ଶାସନକୁ ପଦାରେ ପକାଇ ଦେଇଛି । ପୁଲିସ୍‍ର ଏଭଳି ଅମାନବୀୟ କାର୍ଯ୍ୟକୁ ବହୁ ଛାତ୍ରସଂଘ ଖୋଲାଖୋଲି ବିରୋଧ କରିବାପରେ ପୁଲିସ୍‍ ହରଡଘଣାରେ ପଡିଯାଇଛି । ତେଣୁ ନିଜ ଭାବମୂର୍ତ୍ତି ରକ୍ଷାପାଇଁ ପୁଲିସ୍‍ ବାଉଳା ହେଉଥିବାବେଳେ ଉଭୟ ସରକାର ଓ ପୁଲିସ୍‍ର ସେବାକାରୀ ଭାବେ ଜଣେ ପୂର୍ବତନ ଛାତ୍ରନେତା ଆଗକୁ ଆସି ବାଣୀବିହାର ପରିସରରେ ରାଲି ଆୟୋଜନ କରିଛନ୍ତି ।
ଏହି ଛାତ୍ରନେତା ଜଣଙ୍କ ରାଜନୀତିରେ ଉପରକୁ ଉଠିବାପାଇଁ ତାଙ୍କର ଦୁଇ ଦୁଇ ଜଣ ଗୁରୁଙ୍କୁ ଏକ ପ୍ରକାର ହତ୍ୟା କରିଛନ୍ତି । ନିଜେ ଆଗକୁ ଯିବାପାଇଁ ଗୁରୁଙ୍କୁ ନାମ ଦେଇ ଗୁରୁଦ୍ରୋହୀ ସାଜିଥିବା ଏହି ଛାତ୍ରନେତା କିଭଳି ପୁଲିସ୍‍ର ସେବାକାରୀ ସାଜିଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଉକ୍ତ ଛାତ୍ରନେତା ଜଣଙ୍କ ବିଜେପିକର୍ମୀଙ୍କୁ ଆକ୍ରମଣ କରିବାପାଇଁ ଅତୀତରେ ରାମମନ୍ଦିର ସମ୍ମୁଖରେ ଗୁଣ୍ଡା ସାଜିଥିବାର ବି ନଜିର ଥିବା ସହିତ ତାଙ୍କ ନାମରେ ଅନେକ ମାମଲା ରହିଛି ।
ଛାତ୍ରନେତା ଜଣଙ୍କ ପାଗ ଦେଖି ରଙ୍ଗ ବଦଳାଉଥିବାବେଳେ ଆଜି ତାଙ୍କର ଆଉ ଏକ ରଙ୍ଗ ବାଣୀବିହାରରର ଛାତ୍ରଛାତ୍ରୀମାନେ ଦେଖିଛନ୍ତି । ଆସନ୍ତା କାଲିଠାରୁ ଯଦି ଏହି ଛାତ୍ରନେତା ଜଣଙ୍କ ତାଙ୍କର ଧଳା ଜାମା ପିନ୍ଧାର ଚେହେରା ଧରି ବାଣୀବିହାରକୁ ଆସିବେ ତାଙ୍କୁ ଗୁରୁ ହତ୍ୟାକାରୀ ଉପାଧି ଦେବା ସହିତ କଡା ବିରୋଧ କରାଯିବ ବୋଲି ଅନେକ ଛାତ୍ରଛାତ୍ରୀ ମତ ଦେଇଛନ୍ତି ।