Odia News Portal

ବିଜେପି ଏଥର କମ୍ ଆସନ ପାଇବ : ନବୀନ

କୁଚିଣ୍ଡା : ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ପ୍ରଚାର ସରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ମାରାଥନ୍ ପ୍ରଚାର କରୁଛନ୍ତି । ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଖେଳ ପଡିଆରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଏଥର ବିଜେପି ବହୁତ କମ୍‌ ଆସନ ପାଇବ, ସେଥିପାଇଁ ତାଙ୍କ ନେତାମାନେ ବିଭ୍ରାନ୍ତିକର କଥା କହୁଛନ୍ତି । ସେ କହିଛନ୍ତି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି ।  କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ଦିଆଯିବ।

ବିଜେଡି ମହିଳାଙ୍କୁ ହକ୍‌ ଦେଇଛି। ମିଶନ ଶକ୍ତି ମହିଳାଙ୍କୁ ସହାୟତା ଦେଉଛି। ଭୋଟ୍‌ ସମୟ ଆସିଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶାକୁ ଆସୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ ଆସୁନଥିଲେ ବୋଲି ନବୀନ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ଅନୁସୂଚୀତ ଜାତି/ଜନଜାତି ବିଦ୍ୟାର୍ଥୀଙ୍କ ବୃତ୍ତି ଅର୍ଥ ବନ୍ଦ କରିଛି କେନ୍ଦ୍ର। କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଲେ ନାହିଁ। ସାଢେ ଚାରି କୋଟି ରାଜ୍ୟବାସୀ ମୋର ପରିବାର। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଥିଲେ।