ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ଫୋରମ
ଭୁବନେଶ୍ୱର () : ବାଣୀବିହାର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ରନେତା ପ୍ରକାଶ ତ୍ରିପାଠୀଙ୍କ ପ୍ରତି କମିଶନରେଟ୍ ପୁଲିସ୍ ଯେଉଁଭଳି ଭାବେ ଅମାନୁଷିକ ଆଚରଣ ପ୍ରଦର୍ଶନ କରିଛି ତାହା ବର୍ବରତାର ସବୁ ସୀମା ଟପିଯାଇଛି । ଏକ ଗଣ୍ଡଗୋଳ ଘଟଣାରେ ସହିଦ ନଗର ଥାନାରେ ପ୍ରକାଶ ତ୍ରିପାଠୀ ଆତ୍ମସମର୍ପଣ କରିଥିବାବେଳେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ସିଲଟ ଧରାଇ ଫଟୋ ଉଠାଇ ତାକୁ ଭାଇରାଲ କରାଇବା ପଛରେ କିଛି ନିହିତ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟାପୀ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରନେତାମାନଙ୍କୁ ନେଇ ସଂଗଠିତ ସଂଗଠନ ‘ଓଡ଼ିଶା ଷ୍ଟୁଡେଣ୍ଟ ଲିଡର୍ସ ଫୋରମ୍’ ଘୋର ନିନ୍ଦା କରିଛି ।
ଜଣେ ଛାତ୍ରନେତାଙ୍କ ଏଭଳି ଅମାନବୀୟ ଆଚରଣ ପ୍ରଦର୍ଶନ ସମଗ୍ର ଛାତ୍ରସମାଜ ପାଇଁ ଘୋର ଅପମାନ । ତେଣୁ ପୁଲିସ୍ର ଏପରି ମାତ୍ରାଧିକ ଅମାନବୀୟ କାର୍ଯ୍ୟକଳାପ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ତୀବ୍ର କରାଯିବା ସହ ଅଦାଲତ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବୁ ବୋଲି ଫୋରମ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି । ଏହା ସହିତ ସେମାନେ ବି ଭିନ୍ନ ସ୍ଲୋଗାନ ଲେଖାଥିବା ସିଲଟ ଧରି ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଆଜି ରେଡ଼କ୍ରସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳମତ ନିର୍ବିଶେଷରେ ପୂର୍ବତନ ଛାତ୍ରନେତା ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ସଭାପତି ବଦ୍ରୀ ମହାନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଦାସ, ନିର୍ମଳ କୁମାର ପଣ୍ଡା, ରେଭେନ୍ସା ଛାତ୍ର ସଂସଦ ପୂର୍ବତନ ସମ୍ପାଦକ ମନୋଜ ସାହୁ, ରେଭେନ୍ସା ପୂର୍ବତନ ସଭାପତି ସଞ୍ଜିବ ପତ୍ରୀ, ବିଜେବି କଲେଜ ପୂର୍ବତନ ସଭାପତି ସଚ୍ଚିନନ୍ଦନ ନାୟକ, ପୂର୍ବତନ ଛାତ୍ରନେତା ତଥା ଏବିଭିବି ଅଧିବକ୍ତା ପରିଷଦର ସଦସ୍ୟ ଧୀତବ୍ରତ ନାୟକ, ସତ୍ୟନାରାୟଣ ପଣ୍ଡା ଓ ସ୍ୱାଧୀନ ଶତପଥୀ ପ୍ରମୁଖ କହିଛନ୍ତି ଯେ ପ୍ରକାଶ ତ୍ରିପାଠୀ ଯଦି କିଛି ଅପରାଧ କରିଛନ୍ତି ତେବେ ତାଙ୍କୁ ଗିରଫ କରାଯାଉ ଓ ଅଦାଲତରେ ପେସ୍ କରାଯାଉ । କୌଣସି ଅପରାଧୀ ଅପରାଧ ସପକ୍ଷରେ ଫୋରମ କୌଣସି ଓକିଲାତି କରିବ ନାହିଁ ।
ଯଦି ପ୍ରକାଶ ଅପରାଧ କରିଥିବେ ବୋଲି ଅଦାଲତରେ ସାବ୍ୟସ୍ତ ହେବେ ତେବେ ମାନ୍ୟବର ଅଦାଲତ ଦଣ୍ଡବିଧାନ କରିବେ । ହେଲେ ପ୍ରକାଶ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମାଡ଼ ମାରିବା, ଦେହରୁ କପଡ଼ା ଖୋଲିବା ଓ ତାଙ୍କୁ ସିଲଟ ଧରାଇବା ଭଳି ଅଧିକାର ପୁଲିସ୍କୁ ଦେଲା କିଏ? ଏହା ମାନବାଧିକାରର ଖୋଲା ଉଲ୍ଲଙ୍ଘନ । ରାଜ୍ୟରେ ଅତୀତରେ ଧରିଥିବା ଅଭ୍ୟାସଗତ ମୋଷ୍ଟ ୱାଣ୍ଟେଡ୍ ଓ ଚିଟଫଣ୍ଡ ମାଫିଆମାନଙ୍କୁ ଗିରଫ କଲାବେଳେ ପୁଲିସ୍ କେତେଜଣଙ୍କୁ ଏମିତି ସିଲଟ ଧରାଇଛି ଓ ଏପରି ଅମାନୁଷିକ ମାଡ଼ ମାରିଛି । ରାଜ୍ୟରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ଅଭିଯୁକ୍ତ ପୁଲିସ୍ ଅଧିକାରୀମାନଙ୍କୁ ପୁଲିସ୍ କେତେଜଣକୁ ସିଲଟ ଧରାଇଛି ବୋଲି ପୂର୍ବତନ ଛାତ୍ରନେତାମାନେ ପ୍ରଶ୍ନ କରିଛନ୍ତି । ଅପରାଧୀମାନଙ୍କ ପ୍ରତି ପୁଲିସ୍ ଦରଦ ଦେଖାଉଥିବାବେଳେ ପ୍ରକାଶ ତ୍ରିପାଠୀଙ୍କ ଭଳି ଜଣେ ଆଇନକୁ ସମ୍ମାନ ଦେଉଥିବା ଆଇନ ଓ ପିଏଚ୍ଡି ଡିଗ୍ରୀଧାରୀ ଛାତ୍ରନେତାଙ୍କୁ ଏପରି ବର୍ବର ଆଚରଣ ଘଟଣାର ପ୍ରମାଣିତ ହୋଇଯାଇଛି ରାଜ୍ୟରେ ଆଇନ ତା ବାଟରେ ଯାଉନାହିଁ । ପୁଲିସ୍ର ଏପରି ମାତ୍ରାଧିକ ଆଚରଣ ସମଗ୍ର ଛାତ୍ରସମାଜ ପ୍ରତି ଅପମାନ ଓ ଏହା ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି । ଏହାସହିତ ପ୍ରକାଶଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ମାନ୍ୟବର ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବୁ ବୋଲି ଛାତ୍ରନେତାମାନେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରନେତା ନରେଶ ମହାନ୍ତି, ତାପସ ସେଠୀ, ସନ୍ତୋଷ ସେଠୀ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ରାଜକିଶୋର ମହାପାତ୍ର, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।