Odia News Portal

ମହାକାଳପଡ଼ାବାସୀ ପାଇବେ ମଧୁର ପାଣି, ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆପଣମାନଙ୍କ ଟଙ୍କାରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଆପଣମାନେ ଖୁସି ତ? ମୁଁ ବି ଖୁସି”, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ସରୁମୁହିଁଠାରେ ବସୁଧା ଯୋଜନାରେ ବହୁ ପ୍ରତୀକ୍ଷିତ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାକୁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ ସରୁମୁହିଁ ପଡ଼ିଆରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସାରା ରାଜ୍ୟରେ ବିକାଶର ଧାରା ଚାଲିଛି ବୋଲି କହିଥିଲେ।

ସାରା ରାଜ୍ୟରେ ବିକାଶର ଧାରା ଅବ୍ୟାହତ ରହିଛି। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରାଯାଇଛି। ମହାକାଳପଡ଼ାରେ ମଧ୍ୟ ବିକାଶ ହେଉଛି। ଆଗକୁ ବିକାଶର ଧାରା ଜାରି ରହିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ନବୀନ ଆହୁରି କହିଥିଲେ, “ଆପଣମାନଙ୍କ ପଇସାରେ ମହାକାଳପଡ଼ାରେ ନିର୍ମାଣ କରାଯାଉଛି ପାନୀୟ ଜଳ ପ୍ରକଳ୍ପ। ୨୪୧ କୋଟି ଟଙ୍କା ବ୍ୟୟବରାଦରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୦୦ରୁ ଅଧିକ ଗ୍ରାମକୁ ବିଶୁଦ୍ଧ ପାଣି ପହଞ୍ଚି ପାରିବ।

ଆଗକୁ ମହାକାଳପଡ଼ା ଅଞ୍ଚଳରେ ଏକ ନଦୀଭିତ୍ତିକ ବନ୍ଦର ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ବିଶାଳ ଜନସଭାରେ ଉଦବୋଧନ ଦେଇଥିଲେ।ଏହି ପ୍ରକଳ୍ପ ଆଗାମୀ ଦୁଇ ବର୍ଷରେ କାର୍ଯ୍ୟକ୍ଷମ ହେବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ୩୬ଟି ଗ୍ରାମପଞ୍ଚାୟତର ୨୦୦ଟି ଗାଁରେ ରହୁଥିବା ୨ ଲକ୍ଷ ୩୬ ହଜାର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ଲୁଣା ନଦୀର ମାଣିତିରୀ ଓ ଚିତ୍ରୋତ୍ପଳା ନଦୀର ତାଳସଙ୍ଗାଠାରୁ ନଦୀ ଜଳର ଉତ୍ସକୁ ବ୍ୟବହାର କରାଯିବ। ଦୁଇଟି ସ୍ଥାନରେ ଜଳ ବିଶୋଧନାଗାର ନିର୍ମାଣ କରାଯିବ। ୯.୮ କିଲୋମିଟର ମୁଖ୍ୟ ପାଇପଲାଇନ ବିଛା ଯିବାକୁ ଥିବା ବେଳେ ବିଭିନ୍ନ ଗାଁକୁ ୬୨୦ କିଲୋମିଟର ଜଳବିତରଣ ପାଇପ ଲାଇନ ବିଛାଯିବ।

ଏହି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏଲ୍ ଆଣ୍ଡ ଟି କମ୍ପାନି କରିବ। ଦୀର୍ଘ ଦିନ ଧରି ଏହି ସବୁ ଅଞ୍ଚଳର ଲୋକେ ନଦୀର ଲୁଣିଆ ପାଣିକୁ ପିଇ ଆସୁଥିଲେ।

ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ କହିଛନ୍ତି, “ମହାକାଳପଡ଼ାରେ ଯାହା ବିକାଶ ହୋଇଛି ତାହା ବିଜେଡି ଅମଳରେ ହିଁ ହୋଇଛି। ଆଗକୁ ଯାହା ବି ବିକାଶ ହେବ ତାହା ବିଜେଡି ସରକାର ହିଁ କରିବ। ମହାକାଳପଡ଼ାବାସୀଙ୍କ ସହ ଆମେ ଥିଲୁ, ଅଛୁ ଏବଂ ରହିବୁ।”