ପୁରୀ: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।
ଅପରାହ୍ନ ପ୍ରାୟ ସାଢେ ୨ଟାରେ ଏମାନେ କଡ଼ା ସୁରକ୍ଷା ମଧ୍ୟରେ ଆସି ସିଂହଦ୍ୱାର ଫାଣ୍ଡି ନିକଟରେ ପହଞ୍ଚତ୍ଥିଲେ। ସେମାନଙ୍କୁ ଧାଡ଼ି କରି ମନ୍ଦିରକୁ ନିଆଯାଇଥିଲା। ସାତପାହାଚ ଦେଇ ଭିତରକୁ ଯାଇ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ବେଢା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦର୍ଶନ କରିଥିଲେ। ଫେରିବା ବେଳେ ବାଇଶି ପାହାଚରେ କିଛି ସମୟ ବସିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ବାଇଶି ପାହାଚରେ ଗଡ଼ି ପ୍ରାୟଶ୍ଚିତ୍ତ କରୁଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମନ୍ଦିରରେ ବିତାଇବା ପରେ ସମସ୍ତେ ବାହାରକୁ ଆସିଥିଲେ। ପରେ ଶରଧାବାଲି ନିକଟ ଅବକାଶ ଭବନକୁ ଯାଇ ସେଠାରେ ମହାପ୍ରସାଦ ସେବନ କରିଥିଲେ।
ମୁଖ୍ୟସ୍ରୋତକୁ ଫେରିଥିବା ରାମ ମାଡ଼କାମୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବସି ହକି ମ୍ୟାଚ୍ ଦେଖିଛି। ଜୀବନରେ କେବେ ଏମିତି ମୁହୂର୍ତ୍ତ ଆସିବ ଭାବି ନ ଥିଲି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବହୁତ ଖୁସି ଲାଗୁଛି। ମାଓବାଦୀ ଜୀବନରେ ଘଞ୍ଚ ଜଙ୍ଗଲରେ ରହୁଥିଲି। ଦୁନିଆ ବିଷୟରେ କିଛି ବି ଜାଣିପାରୁ ନ ଥିଲି। ଭୁବନେଶ୍ୱର ଏମିତି ଏକ ବଡ଼ ସହର ଆଉ ଏତେ ସୁନ୍ଦର ମନ୍ଦିର ରହିଛି ତାହା ମୋ କଳ୍ପନା ବାହାରେ ଥିଲା। ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର ଏ ସବୁ ଦେଖିବା ପରେ ବହୁତ ଆନନ୍ଦ ଲାଗୁଛି। ବିଜୟା ମାଡ଼କାମୀ କହିଛନ୍ତି, ଜୀବନରେ କେବେ ବାହାର ଦୁନିଆକୁ ଯାଇପାରିବି ନାହିଁ। ପୁରୀ, ଭୁବନେଶ୍ୱର ଦେଖିପାରିବି ନାହିଁ ବୋଲି ଭାବିଥିଲି। ହେଲେ ଏସ୍ପି ସାର୍ଙ୍କ ଯୋଗୁ ସବୁ ଜାଗା ବୁଲିପାରିଛୁ। ମୁଖ୍ୟମନ୍ତ୍ରୀଙ୍କ ଆମ ପ୍ରତି ଭଲ ପାଇବା ରହିଛି ବୋଲି ଆମକୁ ଆଣି ହକି ମ୍ୟାଚ୍ ଦେଖାଇଛନ୍ତି। ସେମିତି ମତ ରଖିଛନ୍ତି ମୁକେଶ। ସେ କହିଛନ୍ତି, ପରିସ୍ଥିତିରେ ପଡି ମାଓବାଦୀ ହୋଇଗଲି। ଖରା, ବର୍ଷା, ଶୀତ, କାକରରେ ଜଙ୍ଗଲରେ ଲୁଚି ରହିବାକୁ ପଡିଲା। ହେଲେ ଏବେ ସେହି ପୁରୁଣା ଦିନକୁ ଭୁଲିଯାଇଛି। ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିବି। ମହାପ୍ରଭୁଙ୍କୁ ଦର୍ଶନ କଲି। ବାଇଶି ପାହାଚରେ ଗଡ଼ି ଅତୀତରେ କରିଥିବା କିଛି ଭୁଲ କାମ ପାଇଁ ପ୍ରାୟଶ୍ଚିତ୍ତ କରିଛି।
ସୂଚନାଥାଉ କି, ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କୋରାପୁଟ ଏବଂ ମାଲକାନଗିରିର ଏହି ୩୦ ଜଣଙ୍କ ମଧ୍ୟରେ ୧୬ ମହିଳା ଓ ୧୪ ଜଣ ପୁରୁଷ ରହିଥିଲେ। କୋଣାର୍କ ମନ୍ଦିର ଦର୍ଶନ କରିବା ପରେ ଏମାନେ ଶ୍ରୀମନ୍ଦିରକୁ ଆସିଥିଲେ।