ବ୍ରହ୍ମପୁର: ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ଲାଗିବା ଯୋଗୁ କ୍ଷତାକ୍ତ ହୋଇଥିବା ଗଛଗୁଡ଼ିକୁ ନୂଆ ଜୀବନ ଦେବାପାଇଁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ। ବ୍ରହ୍ମପୁର ସବୁଜ ବାହୀନ ତରଫରୁ ହାତକୁ ନିଆଯାଇଥିବା ଏହି କାର୍ଯ୍ୟ କ୍ରମଶଃ ସଫଳ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଶହ ଗଛରୁ ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ବାହାର କରାଯାଇଛି । କ୍ଷତାକ୍ତ ଜାଗାରେ ସ୍ବତନ୍ତ୍ର ପ୍ରଲେପ ଲଗା ଚାଲିଛି ।
ଅଭିଯାନ ସମ୍ପର୍କରେ ବ୍ୟାପକ ଜନସମର୍ଥନ ସୃଷ୍ଟି ପାଇଁ ରବିବାର ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଶୋଭାଯାତ୍ରାକୁ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ଡିଏଫ୍ଓ ଆଶିଷ କୁମାର ବେହେରା, ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡା. ସୁନୀଲ କୋଟା ପ୍ରମୁଖ ଯୋଗଦେଇ ଅଭିଯାନ ସମ୍ପର୍କରେ ମତ ରଖିବା ସହ ବ୍ରହ୍ମପୁର ସହରର ଗଛଗୁଡ଼ିକ କଣ୍ଟାମୁକ୍ତ କରିବା ଦିଗରେ ନିଜର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲା ଇକୋ କ୍ଲବ ସଂଯୋଜନ ଡ. ଶଙ୍କର ନାରାୟଣ ବେଜ୍ ଏହାକୁ ସଂଯୋଜନା କରିଥିବା ବେଳେ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍ ପ୍ରତିଷ୍ଠାତା ସୁଧୀର ରାଉତ, ବରିଷ୍ଠ ଖବରଦାତା ଶିବ କୁମାର ଦାସ ଏବଂ ବ୍ରହ୍ମପୁର ରେଞ୍ଜର ଏ. ରାଜା ରାଓ ସୁବୁଦ୍ଧି ଯୋଗ ଦେଇଥିଲେ। ଶୋଭାଯାତ୍ରା ସେଠାରୁ ବାହାରି ଗୋଇଲୁଣ୍ଡି ହୋଇ ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲା। ରାସ୍ତା କଡ଼ରେ ଥିବା ଗଛରୁ କଣ୍ଟା ବାହାର କରାଯାଇଥିଲା। ମୋଟ ୪୨ ଗଛରୁ ୩୬ ଲୁହା କଣ୍ଟା ଏବଂ ୧୭ ହୋର୍ଡିଂ ସହ ୮ ଲୁହା ତାର ବାହାର କରାଯାଇଥିଲା । ସପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆନୁୁକୂଲ୍ୟରେ ରବିବାର ସୁଦ୍ଧା ୧୨୦୭ ଗଛରୁ ୧୫୭୪ ଲୁହା କଣ୍ଟା, ୧୭୪ ହୋର୍ଡିଂ ଏବଂ ୧୦୧ ତାର ବାହାର କରାଯାଇଛି ।
ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସମ୍ପାଦକ ଏମ୍. ଦିଲ୍ଲୀପ କୁମାର, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, କୋଷାଧ୍ୟକ୍ଷ ବିଜେନ୍ଦ୍ର ମାଝି, ବକ୍ସିଂ ଓଡ଼ିଶା ସମ୍ପାଦକ କବିରାଜ ଗୌଡ଼ ପ୍ରମୁଖ ସାମିଲ୍ ହୋଇଥିଲେ ।