Odia News Portal

ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା

ପୁରୀ()ଦେଶରେ କରୋନା ମହାମାରୀର ତୃତୀୟ ଲହରୀ ମାଡିଥିବା ବେଳେ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ସତର୍କତା ଦୃଷ୍ଟିରୁ ଏବେବି କିଛି ଦିଗରେ କଟକଣା ଲାଗୁ କରାଯାଉଛି । ଏହାରି ମଧ୍ୟରେ ନାଗାର୍ଜୁନ ବେଶ ପାଇଁ ବଡଦାଣ୍ଡରେ ୧୪୪ ଧାରା ଲାଗୁ କରାଯିବ । ଆଜି ରାତି ୨ଟାରୁ ୧୪୪ ଧାରା ଜାରି ହେବ । ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ । ଶ୍ରୀମନ୍ଦିର ଚାରିପାଖରେ ମଧ୍ୟ ୧୪୪ ଧାରା ଲାଗୁ ହେବ ।

ତେବେ ୧୪୪ ଧାରା ଯୋଗୁଁ ଭକ୍ତମାନେ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ । ବେଶ ଓ ଲାଗି ପରେ ଭକ୍ତ ପତିତପାବନଙ୍କୁ ଦର୍ଶନ କରିପାରିବେ । ନାଗାର୍ଜୁନ ବେଶ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ୨ ଏଏସପି, ୭ ଡିଏସପି, ୧୯ ଏସଆଇ ଓ ୭୭ ଏଏସଆଇ ନିଯୁକ୍ତ ହେବେ । ହରଚଣ୍ଡି ସାହିରୁ ନାଗାବେଶକୁ କଡା ସୁରକ୍ଷାରେ ଅଣାଯିବ । ସୁରକ୍ଷା ନେଇ ପୁରୀ ଏସପି କନୱାଲ ବିଶାଳ ସିଂହ ସୂଚନା ଦେଇଛନ୍ତି ।