Odia News Portal

ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରାଇଲେ ବୋଥ୍ରା

ଭୁବନେଶ୍ୱର : ରାଜ୍ୟର ଆଇନ୍‍ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ମୁଖା ଖୋଲିଛନ୍ତି କ୍ରାଇମବ୍ରାଞ୍ଚର ଆଇଜି ଅରୁଣ ବୋଥ୍ରା । ଓଡିଶାରେ କିଭଳି ଅପରାଧିମାନେ ସହଜରେ ଖସିଯାଉଛନ୍ତି ଓ ଏଠାରେ ମାତ୍ର ୧୦ ପ୍ରତିଶତ ଦଣ୍ଡିତ ହେଉଛନ୍ତି ତାହାର ବିସ୍ତୃତ ବିବରଣୀ ଲେଖିଛନ୍ତି ଗୋଟିଏ ଦୈନିକ ଜାତୀୟ ଇଂରାଜୀ ଖବର କାଗଜରେ । ଗୃହ ବିଭାଗ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ଅରୁଣ କାହା ଇଙ୍ଗିତରେ ଏଭଳି ଲେଖା ଲେଖି ତାଙ୍କୁ କାଠଗଡାରେ ଛିଡା କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ଇତିଶ୍ରୀ, କୁନ୍ଦୁଲି ଠାରୁ ଆରମ୍ଭକରି ବେବିନା ମାମଲରେ ରାଜ୍ୟ ସରକାର ଛନ୍ଦିହୋଇ ପଡିଥିବାବେଳେ ଏହାର ତଦନ୍ତ ଭାର ରହିଥିଲା କ୍ରାଇମବ୍ରାଞ୍ଚ ହାତରେ । ନିର୍ବାଚନକୁ ଆଖିଆଗରେ ରଖି ବିରୋଧିଦଳ ପକ୍ଷରୁ ଏହି ମାମଲାକୁ ପୁଣିଥରେ ଉଠାଇବାପାଇଁ ଉଦ୍ୟମ ଚାଲିଥିବାବେଳେ ନିଆଁରେ ଏବେ ଘିଅ ଢାଳିଛନ୍ତି ଓ ଖୋଦ୍‍ ଆଇଜି ମହାଶୟ । ସ୍ପଷ୍ଟ ଭାବେ ଲେଖିଛନ୍ତି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ କର୍ଣ୍ଣାଟକରେ ଦଣ୍ଡବିଧାନ ହାର ନୈରାଶ୍ୟଜନକ । ସର୍ବଭାରତୀୟ ସ୍ତରରେ ୧୮.୯ ପ୍ରତିଶତ ଦୋଷୀ ଦଣ୍ଡିତ ହେଉଥିବାବେଳେ ଓଡିଶାରେ ଏହା ୧୦ ପ୍ରତିଶତର କମ୍‍ ରହିଛି । ଏଥିପାଇଁ ଅଦାଲତ ବାହାରେ ପୀଡିତା ଓ ନିର୍ଯ୍ୟାତନାକାରୀଙ୍କ ମଧ୍ୟରେ ହେଉଥିବା ବୁଝାମଣାକୁ କେତେକାଂଶରେ ଦାୟୀ କରିଛନ୍ତି । ଏଥି ସହିତ ଫୋରେନ୍‍ସିକ୍‍ ଓ ମେଡିକାଲ ରିପୋର୍ଟ ଦୋଷୀକୁ ଦଣ୍ଡ ଦେବାପାଇଁ ଯଥେଷ୍ଟ ହୋଇଥିବାବେଳେ ପୀଡିତାମାନେ ଅପରାଧୀଙ୍କ ସହିତ ମୂଲଚାଲ କରୁଥିବାରୁ ଦୋଷୀମାନେ ଖସି ଯାଉଛନ୍ତି ।
ଜଣେ ସରକାରୀ କର୍ମଚାରୀ ସରକାରଙ୍କ କାର୍ଯ୍ୟକଳାପ ନେଇ ଆଲେଖ୍ୟ ପ୍ରକାଶ ଉପରେ କଡା କଟକଣା ଥିବାବେଳେ ଅରୁଣଙ୍କ ଏଭଳି ଲେଖା ଏବେ ସରକାରଙ୍କ କରୁଣ ଅବସ୍ଥାରେ ପକାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ୱଚ୍ଛ ଭାବମୂର୍ତ୍ତିକୁ ନେଇ ସାରା ରାଜ୍ୟ ଗସ୍ତ କରୁଥିବାବେଳେ ଏତିକିବେଳେ ଅରୁଣଙ୍କ ଜାତୀୟ ଗଣମାଧ୍ୟମରେ ଏଭଳି ଆଲେଖ୍ୟ ତାଙ୍କୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି । ବିଶେଷକରି ବେବିନା ଘଟଣାରେ ନବୀନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିବାପରେ ମଧ୍ୟ ଏ ବିବାଦ ଥମିନାହିଁ । ଏବେ ବି ରାଜ୍ୟର ଆଇନ୍‍ଶୃଙ୍ଖଳା କଥା ଉଠିଲେ ବିରୋଧିଦଳ ବେବିନା ପ୍ରସଙ୍ଗକୁ ଆୟୁଧ କରି ସରକାରଙ୍କୁ ଘେରୁଛନ୍ତି । ଏହି ମାମଲାରେ ବି ଦୋଷୀ ଖସିଯାଇଥିବାବେଳେ ଚାପରେ ପଡି କ୍ରାଇମବ୍ରାଞ୍ଚ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ।
ଏଭଳି ସ୍ଥିତିରେ ଅରୁଣ ବୋଥ୍ରାଙ୍କ ଭଳି ଜଣେ ବରିଷ୍ଠ ଆଇପିଏସ୍‍ ଅଫିସର ସରକାରଙ୍କୁ ଖାଲରେ ପକାଇବା ଭଳି ଲେଖା ଲେଖି ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଲେଖା ଯୋଗୁଁ ଅବଶ୍ୟ ସାଧାରଣରେ ସିଏ ପ୍ରଶଂସିତ ହୋଇପାରନ୍ତି ହେଲେ ଯେଉଁ ସରକାରରେ ସିଏ ଜଣେ ବେତନଭୋଗୀ କର୍ମଚାରୀ ସେହି ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ଏବେ ଅଡୁଆରେ ପଡି ଯାଇଛନ୍ତି । ଲେଖାଟି ପ୍ରକାଶ ପାଇବାପରେ ଏବେ ତାହାକୁ ବିରୋଧିଦଳ ପକ୍ଷରୁ ତର୍ଜମା କରାଯିବା ସହିତ ଏହା ମାଧ୍ୟମରେ ସରକାର ଓ ନବୀନଙ୍କ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଛି । ଅରୁଣ ଲେଖିଥିବା ଲେଖାଟି ଓଡିଶାରେ ହିଁ ବାସ୍ତବ ରୂପ ନେଉଛି ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହା ଚାଲୁଥିବା ବିରୋଧିଦଳର କିଛି ନେତା କହି ବୁଲିଲେଣି । କାରଣ ଅରୁଣ ଜଣେ ସାଧାରଣ ପୁଲିସ୍‍ ଅଫିସର ନୁହନ୍ତି, ସେ ହେଉଛନ୍ତି ରାଜ୍ୟ କ୍ରାଇମବ୍ରାଞ୍ଚର ଆଇଜି । ତେଣୁ ସିଏ ଯାହା ଲେଖିଛନ୍ତି ତାହା ତଥ୍ୟ ଓ ସତ୍ୟ ଉପରେ ଆଧାରିତ । ଏ ସଂକ୍ରାନ୍ତରେ ଖୁବ୍‍ଶୀଘ୍ର ନବୀନ ସରକାରଙ୍କୁ ଠାରୁ ଜବାବ ମଗାଯିବ ବୋଲି କଂଗ୍ରେସର ଜଣେ ବରିଷ୍ଠନେତା ସୂଚନା ଦେଇଛନ୍ତି । ବିଜେପି ବି ଏହି ଲେଖାଟିକୁ ଏବେ ତର୍ଜମା କରୁଥିବା ସୂଚନା ମିଳିଲାଣି । ନିର୍ବାଚନ ପୂର୍ବରୁ ବିରୋଧିଦଳ ଯାହା କରିପାରିନଥିଲେ ତାହା ଆଇଜି ମହାଶୟ କରିଦେଲେ ବୋଲି କିଛି ବିଜେଡି ନେତା ବି କହୁଛନ୍ତି ।