Odia News Portal

ଆସନ୍ତା ୨୫ରେ ଭବାନୀ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ

ଭୁବନେଶ୍ବର()  ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତା ୨୫ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଭୁବନେଶ୍ବର ୟୁନିଟ-୯ ସ୍ଥିତ ଶହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ସାମାଜିକ ଦୂରତ୍ବର ସହ ଶ୍ରଦ୍ଧା ନିବେଦନ କରାଯିବ ।

ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଲାଗି ଆଜି ସଂଗ୍ରାମୀ ସଦନଠାରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟସ୍ତରୀୟ ସ୍ମୃତି କମିଟି ଗଠନ କରାଯିବା ସହିତ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ୨୫ ତାରିଖରେ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସହଯୋଗରେ ଆଗାମୀ ଏକବର୍ଷ ମଧ୍ୟରେ ଏହି ଦିବଂଗତ ସଂଗ୍ରାମୀ ତଥା ଗାନ୍ଧୀବାଦୀଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜଧାନୀରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ଏକ ବୃତ୍ତଚିତ୍ର ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଥିଲା ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାଶ,ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ, ଗାନ୍ଧୀବାଦୀ ଲେଖକ ପ୍ରହ୍ଲାଦ ସିଂ, ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଦସ୍ୟ ଉପେନ୍ଦ୍ର ପାଢୀ, ଅଭୟ ବଡଜେନା,ମନିନ୍ଦ୍ର ସାମଲ, ଜଗନ୍ନାଥ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।