Odia News Portal

ବିଜୁଙ୍କୁ ଦିଆଯାଉ ଭାରତ ରତ୍ନ ସମ୍ମାନ: ପିନାକୀ

ଭୁବନେଶ୍ବର (): କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ପୂରା ଦେଶ ସ୍ବାଗତ କରୁଛି । କାଶ୍ମୀରରେ ସୃଷ୍ଟି ହୋଇଥିବା ଅରାଜକତାର ମୂଳୋତ୍ପାଟନ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିବା ବେଳେ ପାକିସ୍ତାନ କବଳରୁ କାଶ୍ମୀରକୁ ମୁକ୍ତ କରିବାରେ ପ୍ରବାଦ ପୂରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସମସ୍ତେ ଭୁଲି ଯାଉଛନ୍ତି ।

ଜାମ୍ମୁ-କାଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ ତତ୍କାଳୀନ ମହାରାଜା ହରି ସିଂହ ଯେତେବେଳେ ଭାରତ ସହ ଚୁକ୍ତି କରିଥିଲେ, ସେ ସମୟରେ ପାକ ସେନା ଆକ୍ରମଣ କରିଥିଲେ । ସେମାନେ ଜାମ୍ମୁ-କାଶ୍ମୀର ଭିତରେ ଲୁଟପାଟ ଓ ହତ୍ୟାର ତାଣ୍ଡବ ରଚାଇଥିଲେ । ସ୍ଥିତି ଧିରେ ଧିରେ ସରକାରଙ୍କ ହାତରୁ ଚାଲିଯାଉଥିବା ଦେଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ବିଜୁ ପଟ୍ଟନାୟକଙ୍କ ସହଯୋଗ ଲୋଡିଥିଲେ । ବିଜୁ ବାବୁ ସେ ସମୟରେ ଭାରତୀୟ ବାୟୁସେନାର କାର୍ଯ୍ୟରତ ଦକ୍ଷ ପାଇଲଟ । 1947 ଅକ୍ଟୋବର 27 ତାରିଖରେ ବିଜୁ ପଟ୍ଟନାୟକ ପ୍ରଥମେ ଶିଖ ରେଜିମେଣ୍ଟର 1୭ଜଣ ସୈନିକଙ୍କୁ ବିମାନରେ ନେଇ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରାଇଥିଲେ ।

ବିଜୁ ବାବୁ ନିଜ ଡାକୋଟା-3 ବିମାନରେ ଶିଖ ରେଜିମେଣ୍ଟର ସୈନିକଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ପଣ୍ଡିତ ନେହେରୁ ସେ ସମୟରେ ବିଜୁ ବାବୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଯଦି ପାକ ସୈନିକ ବିମାନବନ୍ଦରକୁ ଅକ୍ତିଆର କରିଥିବେ ତେବେ ସେ ସେଠାରେ ଅବତରଣ କରିବେ ନାହିଁ । ତେଣୁ ବିଜୁ ବାବୁ ଅଳ୍ପ ଉଚ୍ଚରେ ଉଡାଣ କରି ବିମାନ ବନ୍ଦରର ସ୍ଥିତି ଜାଞ୍ଚ କରିଥିଲେ । ପାକ ସୈନିକ ଜାମ୍ମୁକୁ ସଂଯୋଗ କରୁଥିବା ସବୁ ରାସ୍ତା ଅବରୋଧ କରିଥିବାରୁ ବିମାନରେ ଭରତୀୟ ସୈନିକଙ୍କ ଅବତରଣ ସ୍ଥିତିରୁ ବଦଳାଇଦେଇଥିଲା । ଅବତରଣ ପରେ ଜେନେରାଲ ରଞ୍ଜିତ ରାୟଙ୍କ ଟିମ୍ ଘମାଘୋଟ ଲଢ଼େଇ କରି ପାକିସ୍ତାନ ସୈନ୍ୟଙ୍କୁ ପଛକୁ ହଟାଇବାରେ ସକ୍ଷମ ହୋଇଥିଲେ । କେବଳ ଏହି ଗୋଟିଏ ଉଡ଼ାଣ ନୁହେଁ ସେ ସମୟରେ ଦିଲ୍ଲୀରୁ ଭାରତୀୟ ସୈନ୍ୟଙ୍କୁ ନେଇ ଶ୍ରୀନଗରକୁ ଅନେକ ଥର ଉଡ଼ାଣ ଭରିଥିଲେ ବିଜୁ ପଟ୍ଟନାୟକ । ବିଜୁ ବାବୁଙ୍କ ଏହି ସାହସିକତା କାର୍ଯ୍ୟ ସଂପର୍କରେ ବହୁ କମ ଲୋକ ଜାଣିଛନ୍ତି ।

ଆଜି ସଂସଦରେ କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ ହେଉଥିବା ଆଲୋଚନା ସମୟରେ ବିଜେଡି ସାଂସଦ ପିନାକୀ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ବିଜୁ ପଟ୍ଟନାୟକଙ୍କର ଏହି ସାହସିକ ପଦକ୍ଷେପ ଯୋଗୁଁ ଭାରତୀୟ ସେନା ସେଠାରେ ପହଞ୍ଚି ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଥିଲା  । ଆଜି ଯେତେବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ ସମଗ୍ର ଭାରତ ବର୍ଷ ପଡୁଛି ଉଠୁଛି, ସେତିକିବେଳେ ଭାରତ ସରକାର ବିଜୁ ବାବୁଙ୍କର ଏହି ଅବଦାନକୁ ସ୍ମରଣ କରି ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ଯଥାର୍ଥ ହେବ ବୋଲି ସେ ଦାବି କରିଥିଲେ ।