ଭୁବନେଶ୍ୱର : ଏଥର ହାତକୁ ଦି ହାତ ହେବେ ନବୀନଙ୍କ ବଡ଼ ପ୍ରଂଶସକ ଖଗେଶ୍ୱର । ନବୀନଙ୍କ ସହ ଫଟୋ ନଉଠାଇବା ପର୍ଯ୍ୟନ୍ତ ବାହା ହେବିନାହିଁ ବୋଲି କହୁଥିବା ଖଗେଶ୍ୱରଙ୍କ ସ୍ୱପ୍ନ ଶେଷରେ ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ଫଟୋ ଉଠାଇଛନ୍ତି ଖଗେଶ୍ୱର। ଦୀର୍ଘ ୨ରୁ ୩ ମାସ ହେବ ଚାକିରି ଛାଡ଼ି ନବୀନଙ୍କ ସହ ଗୋଟିଏ ଫଟୋ ଉଠାଇବା ପାଇଁ ଦେହକୁ ସବୁଜ ରଙ୍ଗରେ ରଙ୍ଗୀନ କରି ସହରଠୁ ଗାଁ ଗହଳି ଗାଇ ବୁଲୁଥିଲେ ନବୀନ ଚାଳିଶା । ଯେଉଁଠି ନବୀନଙ୍କ କାର୍ଯ୍ୟକ୍ରମ ଆୟୋଜନ ହେଉଛି ସେଠି ହାତରେ ଶଙ୍ଖ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ବିଜେଡି ଲେଖାରେ ଜୁଡୁବୁଡୁ କରି ପହଁଚି ଯାଆନ୍ତି ଖଗେଶ୍ୱର । ଏକମାତ୍ର ଲକ୍ଷ୍ୟଥିଲା ନବୀନଙ୍କ ସହ ଗୋଟିଏ ସେଲ୍ଫି ଫଟୋ ଉଠାଇବା। ଶେଷରେ ଆଜି ଖଗେଶ୍ୱରଙ୍କ ଆଶା ପୂରଣ ହୋଇଛି । ଆଉ ଦିଲ୍ଲୀ ଦରବାରରେ ନବୀନଙ୍କ ସହ ଗୋଟିଏ ଫଟୋ ଏବେ ଖଗେଶ୍ୱରଙ୍କ ବିବାହ ପାଇଁ ବାଟ ଫିଟାଇ ଦେଇଛି । ସେଲିବ୍ରିଟୀଙ୍କ ଫ୍ୟାନ୍ ବା ପ୍ରସଂଶକ ଆପଣ ଶୁଣିଥିବେ ଅଥବା ଦେଖିଥିବେ ।
ଏହାର ନଜିର କ୍ରିକେଟ ଜଗତର ଭଗବାନ ସଚିନ ତେନ୍ଦୁଲଙ୍କ ଫ୍ୟାନ୍ ସୁଧିରଙ୍କ ଠାରୁ ବେଶ୍ ପରିଚିତ ହୋଇଥିଲା । ହେଲେ ରାଜନେତାଙ୍କ ଏଭଳି ଏକ ଫ୍ୟାନ୍ ଯିଏ ଗାଁ ଗହଳି ଠାରୁ ଆରମ୍ଭ କରି ନିଜକୁ ନବୀନଙ୍କ ଭକ୍ତ କହି ତୁଣ୍ଡରେ ଖାଲି ନବୀନ ନାମ ଜପ କରି ବୁଲୁଥିଲା । କେବଳ ଗୋଟିଏ ଫଟୋ ପାଇଁ । ଏପରିକି ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ କହୁଥିଲେ ମଧ୍ୟ କେହି ଖଗେଶ୍ୱରର ଆଶାକୁ ପୂରଣ କରି ପାରିନଥିଲେ । ହେଲେ ଖଗେଶ୍ୱରଙ୍କ ଆଶା ମଉଳି ନଥିଲା ।
