Odia News Portal

ଭୋକିଲା ପିଲାଙ୍କ ପେଟରେ ଦାନା ଦେବାକୁ ଦୁଆରେ ପହଞ୍ଚିଲେ ସ୍ମତିପ୍ରଭା

ଭୁବନେଶ୍ୱର : ଖାକି ବର୍ଦି ଖାଲି ଦଣ୍ଡ ଦିଏନି ବରଂ ଦୟା ବି ଦେଖାଏ। ଖାକି ପିନ୍ଧିଥିବା ପୋଲିସ ଉପରୁ ଯେତିକି ଶକ୍ତ ଦେଖାଯାଆନ୍ତି ଭିତରେ ସେତିକି ଦରଦୀ ଥାଆନ୍ତି। ପୋଲିସ ଅପରାଧୀକୁ ସିନା ଦଣ୍ଡ ଦିଏ ହେଲେ ଅସହାୟଙ୍କୁ ଆପଣେଇନିଏ। ତେବେ ସେମିତି ଏକ ଦରଦୀ କାହାଣୀର ନାୟିକା ହେଉଛନ୍ତି ଅନୁଗୁଳ ସଦର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ। ବରଦାପାଳ ପଞ୍ଚାୟତ କୁସୁମିତା ଗାଁରୁ ଏକ ଖବର ଆସିଲା।

ଘରେ କିଛି ଖାଇବାକୁ ନଥିବାରୁ ଚାରି ଚାରିଟି କୁନି ପିଲା ଭୋକ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି। ଆଉ ଏହି ଖବର ପାଇଲା ପରେ ରହି ପାରିନଥିଲେ ସ୍ମୃତିପ୍ରଭା। ସଙ୍ଗେସଙ୍ଗେ କିଛି ଖାଇବା ନେଇ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲେ। ଆଉ ପିଲାଙ୍କ ଭୋକିଲା ପେଟରେ ଦାନା ଗଣ୍ଡେ ଦେଇ ସେମାନଙ୍କ ପେଟ ପୂରାଇଥିଲେ। ଖାଦ୍ୟ ଖାଇବା ବେଳେ କୁନିକୁନି ପିଲାମାନେ ସ୍ମୃତିପ୍ରଭାଙ୍କ ମୁହଁକୁ ବାବୁବାଲୁ କରି ଚାହୁଁଥିଲେ ଆଉ ତାଙ୍କ ଭିତରେ ସେମାନେ ସେମାନଙ୍କ ମାଆକୁ ଦେଖୁଥିଲେ। ଆଉ ଆଇଆଇସି ସ୍ମୃତିପ୍ରଭା ବି ସେଇ କିଛି ମୁହୂର୍ତ୍ତ ପାଇଁ ମାଆ ଭଲି ସେମାନଙ୍କ ପେଟକଥା ବୁଝି ପେଟେ ଖୁଆଇଥିଲେ।

ତେବେ କୁନି ପିଲାଙ୍କ ବାପା ଶ୍ରୀଧର ମୁଣ୍ଡା ଗତ କିଛି ମାସ ହେବ ସୁରଟକୁ ଦାଦନ ଖଟିବାକୁ ଯାଇଛନ୍ତି। ଆଉ ଏପଟେ ବାପାର ଅନୁପସ୍ଥିତିରେ ମାଆ ଆଉ କାହା ସହ ମାସେ ହେଲା ଫେରାର ହୋଇଯାଇଛି। ମାଆ ଗଲାପରେ ଏବେ ୪ ଛୁଆଙ୍କ ଦାୟିତ୍ୱ ଜେଜଙ୍କ ମୁଣ୍ଡରେ ଥିବାରୁ ପର ଘରେ ଛେଳି ଚରାଇ ପାଞ୍ଚ ପ୍ରାଣୀଙ୍କ ପେଟ ପୋଷୁଛନ୍ତି ଜେଜେ। ଆଉ ଯେଉଁଦିନ ରୋଜଗାର ନଥିବ ସେଦିନ ଉପାସରେ ଶୋଉଛନ୍ତି ସମସ୍ତେ। ତେବେ ପିଲାଙ୍କ ଦୁଃଖରେ ଦୁଃଖୀ ହୋଇ ନିଜର ବଡ଼ପଣ ଦେଖାଇଛନ୍ତି ଆଇଆଇସି ସ୍ମୃତିପ୍ରଭା।