Odia News Portal

ଓସା ହାଉସରେ ହେବ ଅକ୍ଷୟ ମହାକୁଡଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ଭାବେ ଚାରି ଚାରି ଥର ନିର୍ବାଚିତ ହୋଇଥିବା ସ୍ୱର୍ଗତ ଅକ୍ଷୟ କୁମାର ମହାକୁଡଙ୍କର ଏକ ପୂର୍ଣ୍ଣାବୟବ ପ୍ରତିପୂର୍ତ୍ତି ସଂଘ କାର୍ଯ୍ୟାଳୟ ଠାରେ ସ୍ଥାପନ ହେବ । ପ୍ରତିବର୍ଷ ସ୍ୱର୍ଗତ ମହାକୁଡଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ଲାଗି ଏକ ସ୍ମୃତି କମିଟି ଗଠନ ସକାଶେ କର୍ମଚାରୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ୧୩ ତାରିଖ ଦିନ ଓସା ହାଉସ୍‍ ଠାରେ ଆୟୋଜିତ ସ୍ୱର୍ଗତ ମହାକୁଡଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅର୍ଥ ବିଭାଗର ଉପଶାସନ ସଚିବ ଚିତ୍ତ ରଞ୍ଜନ ହୋତାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଚିବାଳୟ ସଂଘର ଅନେକ ସଦସ୍ୟ ଯୋଗ ଦେଇଥିଲେ । ସଂଘର ପୂର୍ବତନ ନେତା ଅନୀଲ କୁମାର ମହାନ୍ତି, ଲୋକନାଥ ରଥ ଏବଂ ରାଜ୍ୟ ଅଣଗେଜେଟେଡ୍‍ କର୍ମଚାରୀ ନେତା ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାକୁଡଙ୍କ ସ୍ମୃତି ଚାରଣ କରି ଉପସ୍ଥିତ ଅତିଥିବୃନ୍ଦ କହିଥିଲେ ଯେ ମହାକୁଡ ଥିଲେ ଜଣେ ଦକ୍ଷ ଓ ସାହସୀ କର୍ମଚାରୀ ନେତା । ତାଙ୍କ ସମୟରେ ସଚିବାଳୟ ସେବା ବର୍ଗର ଅନେକ ଦାବି ହାସଲ ହୋଇଥିଲା ।

ଅଧ୍ୟାପକ ଭଳି ଉଚ୍ଚବେତନର ଚାକିରି ଛାଡି ସ୍ୱର୍ଗତ ମହାକୁଡ ସଚିବାଳୟ ସେବାରେ ଯୋଗ ଦେଇଥିଲେ । ସେ ଜଣେ ଦକ୍ଷ କର୍ମଚାରୀ ମଧ୍ୟ ଥିଲେ । ସଂଘପାଇଁ ତାଙ୍କର ଅବଦାନକୁ ଯେଭଳି ପରପୀଢି ମନେ ରଖିବେ ସେଥିପାଇଁ ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକମତ ପ୍ରକାଶ ପାଇଥିଲା । ତେବେ ଏଭଳି ଜଣେ ଲୋକପ୍ରିୟ କର୍ମଚାରୀ ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ବର୍ତ୍ତମାନର ସାଧାରଣ ସମ୍ପାଦକଙ୍କ ବ୍ୟତିତ ଅନ୍ୟ କେହି ନେତା ଯୋଗଦେଇନଥିଲେ । ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାଟିକୁ ସ୍ୱର୍ଗତ ମହାକୁଡଙ୍କ ସାଥୀମାନେ ଆୟୋଜନ କରୁଥିବା ଓ ସଂଘ ସେଥିରୁ ଦୂେଇ ରହୁଥିବା ପ୍ରତୀୟମାନ ହେଉଥିଲା ।

ସଂଘ ନେତାଙ୍କ ଏଭଳି ମନୋଭାବକୁ ଯୁବ କର୍ମଚାରୀମାନେ ନାପସନ୍ଦ କରିଥିଲେ । ତେବେ ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ସ୍ୱର୍ଗତ ମହାକୁଡଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ନିଜ ହାତରୁ ୨୦ହଜାର ଟଙ୍କା ଦେବେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଘୋଷଣା କରିଥିଲେ ।

      ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )