Odia News Portal

ସାବାଡ ହେଉଛନ୍ତି ମଦୁଆ : ପୁଲିସ୍‍ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ବର : ରାଜ୍ୟରେ ମଦୁଆ ଗାଡି ଚାଳକଙ୍କ ବିରୁଦ୍ଧରେ ପୁଲିସ୍‍ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନକୁ ଏବେ ଚାରିଆଡୁ ସାବାସୀ ମିଳିବାରେ ଲାଗିଛି । ପୁଲିସ୍‍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କୁ ଏଥିପାଇଁ ପ୍ରଶଂସାର ସୁଅ ଛୁଟୁଛି । ଏହି ଅଭିଯାନକୁ ଜାରି ରଖିବାକୁ ବି ଲୋକେ ମତ ଦେଲେଣି । ନୂଆ ମୋଟରଯାନ ଆଇନ୍‍ ଯାଞ୍ଚକୁ ୩ମାସ ପାଇଁ କୋହଳ କରାଯାଇଥିବାବେଳେ ମଦୁଆ ଗାଡିଚାଳକମାନଙ୍କୁ ଏଥିରେ ଅର୍ନ୍ତଭୁକ୍ତ ନକରିବାପାଇଁ ପୁଲିସ୍‍ ଡିଜି ଶ୍ରୀ ଶର୍ମା କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ରାସ୍ତାଘାଟ ସହିତ ବିଭିନ୍ନ ଟୋଲ ଗେଟ୍‍ରେ ଗାଡିଚାଳକଙ୍କୁ ଯାଞ୍ଚ କରିବାକୁ କୁହାଯାଇଛି । ଯେଉଁଠାରେ ମଦୁଆ ଚାଳକ ଧରାପଡୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ ସହିତ ସିଧା ହାଜତକୁ ପଠାଇ ଦିଆଯାଉଛି । ମାତ୍ର ୧୦ଦିନ ମଧ୍ୟରେ ୪୨୬ଜଣ ଜେଲ୍‍ ଯାଇଥିବାବେଳେ ସାଧାରଣ ଲୋକଙ୍କ ସମର୍ଥନ ପାଇ ପୁଲିସ୍‍ ଏବେ ଅଭିଯାନକୁ ଜୋରଦାର କରିଛି । ମଦୁଆଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଅଭିଯାନ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ଏବେ ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

କାରଣ ରାଜ୍ୟର କୌଣସି ଦୂର ଦୂରାନ୍ତ ତ ଦୂରରକଥା ଖୋଦ୍‍ ରାଜଧାନୀରେ ମଦୁଆମାନେ ନିଶାସକ୍ତ ହୋଇ ଏଭଳି ଗାଡି ଚଳାଉଥିଲେ ଯେ କେଉଁଠି ନା କେଉଁଠି ପ୍ରତିଦିନ ଦୁର୍ଘଟଣା ଘଟୁଥିଲା । ଖାଲି ଦୁର୍ଘଟଣା ନୁହେଁ ମଦୁଆମାନେ ଟଙ୍କା ପାଇଁ ବ୍ୟାପକ ଭାବେ ରାହାଜାନିରେ ମାତିଥିଲେ । ସହରରେ ଚେନ୍‍ ଛିଡାଇବା ଓ ଲୁଟ୍‍ କରିବା ପଛରେ ଏମାନଙ୍କର ଅବଦାନ ଢେର ଅଧିକ ରହିଥିଲା । ନିଶାସକ୍ତ ହୋଇ ଏମାନେ ନାନା ପ୍ରକାର ଅପରାଧ ଘଟାଇବାକୁ ପଛାଉନଥିଲେ । ଏବେ କିନ୍ତୁ ସହର ଥଣ୍ଡା ପଡିଛି । ମଦ ଦୋକାନ ନିକଟରେ ଆଉ ପୂର୍ବଭଳି ହାଉ ଯାଉ ନାହିଁ ।

କିଏ କେମିତି ଅତି ସର୍ନ୍ତପଣରେ ମଦ ବୋତଲଟିଏ ଧରି ପଳାଉଛି । ପୂର୍ବରୁ କିନ୍ତୁ ମଦ ଦୋକାନ ସାମ୍ନାରେ ମଦୁଆମାନେ ଖୁଲମ ଖୁଲା ମଦ ପିଇ ଉତ୍ପାତ କରୁଥିଲେ । ଏଥିପାଇଁ ସବୁ ମଦଦୋକାନ ଆଗରେ ମାଳ ମାଳ ଚାଖଣା ଦୋକାନ ଖୋଲିଥିଲା । ସଞ୍ଚ ନଇଁଲେ ଖୋଦ୍‍ ବିମାନବନ୍ଦର ଛକରେ ମଦୁଆଙ୍କ ଉତ୍ପାତକୁ ଦେଶ ବିଦେଶରୁ ଆସୁଥିବା ଲୋକେ ଦେଖୁଥିଲେ । ପୁଲିସ୍‍ ବାବୁମାନେ ଯେତେ ଚାହିଁଲେ ବି କୌଣସି ଅଦୃଶ୍ୟକାରଣ ଯୋଗୁଁ ଏମାନଙ୍କୁ ସାବାଡ କରିପାରୁନଥିଲେ ।

ହେଲେ ଏବେ ସିଧା ଜେଲ୍‍ ହାଜତ ଯିବାକୁ ପଡୁଥିବାରୁ ମଦୁଆଙ୍କ ମଦ ପିଆ ନିଶା ଏକ ପ୍ରକାର ଉତୁରି ଯାଇଛି । ମଦ ପିଇ ଧରାପଡିଲେ ଜେଲ୍‍ ଯିବା ସହିତ ପୁଲିସ୍‍ ଗାଡିର ଅନ୍ୟ କାଗଜପତ୍ର ବି ମାଗୁଛି । ଯାହା ପାଖରେ ଲାଇସେନ୍ସ କି କାଗଜପତ୍ର ନାହିଁ ତାହା ଅବସ୍ଥା ଆହୁରି ଖରାପ । ତେଣୁ ମଦୁଆଙ୍କ ଭିତରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ରାଜଧାନୀରେ ଏହି ୧୦ଦିନ ମଧ୍ୟରେ ଛିନ୍‍ତାଇ ଓ ଲୁଟ୍‍ ଏକ ପ୍ରକାର ହ୍ରାସ ପାଇଥିବାରୁ ଥାନା ଗୁଡିକ ଶାନ୍ତିରେ ନିଶ୍ୱାସ ମାରୁଛନ୍ତି । ହେଲେ ଏବେ କିଛି ମଦୁଆ ପୁଲିସ୍‍କୁ ଚକ୍‍ମା ଦେବାପାଇଁ ମଦ ବଦଳରେ ଗଞ୍ଜେଇ ନିଶାରେ ଚୁର୍‍ ହେଉଛନ୍ତି ।

ତେଣୁ ଏମାନଙ୍କୁ ସାବାଡ କରିବାଲାଗି ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଗଞ୍ଜେଇ ପସରା ମେଲାଇଥିବା ବେପାରୀଙ୍କୁ ଧରି ଏନ୍‍ଡିପିଏସ୍‍ ଆଇନ୍‍ରେ ହାଜତକୁ ପଠାଇବାକୁ ଦାବି ହେଲାଣି, ଯେପରି ସେମାନେ ସହଜରେ ଖସିପାରିବେ ନାହିଁ । ମୋଟାମୋଟି ଭାବେ ପୁଲିସ୍‍ ମହାନିର୍ଦ୍ଦେଶକ ଶ୍ରୀ ଶର୍ମାଙ୍କ ମଦୁଆ ବିରୋଧି ଅଭିଯାନକୁ ଏବେ ରାଜ୍ୟର ସବୁଆଡୁ ସମର୍ଥନ ମିଳିବାରେ ଲାଗିଛି । ତେଣୁ ପାର୍ବଣ ସମୟରେ ଏହାକୁ ଆହୁରି କଡାକଡି କରିବା ସହିତ ଜାରି ରଖିବାକୁ ସାଧାରଣରେ ମତପ୍ରକାଶ ପାଉଛି ।

   ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )