Odia News Portal

ଚର୍ଚ୍ଚାରେ ଚଣ୍ତା ଶୋକଙ୍କ ଛଦ୍ମବେଶୀ ଵ୍ୟବସାୟ

ଭୁବନେଶ୍ୱର : ସରକାରକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସରଳ ଜୀବନ ଯାପନ ସହିତ ଦୁର୍ନୀତି ଠାରୁ ଦୂରରେ ରହିବାକୁ କହୁଥିବା ବେଳେ ଏହାକୁ କିନ୍ତୁ ଚଣ୍ଡାଶୋକ ମାନିବାକୁ ନାରାଜ । ନିଜେ ସରଳ ଜୀବନ ଯାପନ କରିବେ କ’ଣ ଅନ୍ୟମାନଙ୍କ ଜୀବନକୁ ଜଟିଳ କରିବାରେ ଲାଗିଛନ୍ତି । ବ୍ୟବସାୟ ନିଶା ଏତେ ମାତ୍ରାରେ ଚଢିଛି ଯେ ଜମି ବେପାରରୁ ପାଦ କାଢି ଏବେ ଛଦ୍ମବେଶରେ ତେଲ ଓ କଲ୍ୟାଣମଣ୍ଡପ ବେପାରରେ ବି ମାତିଗଲେଣି ।

ଗତ ନିର୍ବାଚନ ବେଳେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଚଣ୍ଡାଶୋକ ନିଜର କ୍ଷମତାକୁ ଠିକଣା ଭାବେ ଉପଯୋଗ କରିଥିଲେ । କେନ୍ଦ୍ରୀୟ ନେତାମାନଙ୍କ ସହିତ ଭିତିରିଆ ଯୋଗାଯୋଗ କରି ରାଜଧାନୀରେ ଏକେ ତେଲ ଟାଙ୍କି ବସାଇ ଦେଇଛନ୍ତି । କାଳେ କଥାଟା ମୁଖିଆଙ୍କ କାନକୁ ଯିବ ତେଣୁ ଏହାକୁ ନିଜ ଭଣଜା ନାଁରେ କରିଦେଇଛନ୍ତି ।

ଭଣଜା ନାମକୁ ମାତ୍ର, ଅସଲ ବେପାର ଚଳାଇଛନ୍ତି ଚଣ୍ଡାଶୋକ । କଳାପଇସା ଏବେ ତେଲ ପାଇପ୍ ରେ ପଶି ଧଳା ହେବାରେ ଲାଗିଛି । ସବୁଠାରୁ ବଡ କଥା ହେଲା ବିଜେଡି ନେତାମାନେ ଦଳର ଭୋଟ୍‍ ପାଇଁ ଲାଗି ପଡିଥିବାବେଳେ ଏହି ନେତା ଜଣଙ୍କ ବିରୋଧି ନେତାଙ୍କୁ ହାତେଇ ତେଲ ଟାଙ୍କିଟି ଏଭଳି ବାଟରେ କରାଇନେଲେ ଯେ ତାହାର କେହି ଟେର୍‍ ପାଇଲେ ନାହିଁ ।

କେବଳ ତେଲ ଟାଙ୍କି ନୁହେଁ, ଭଣଜାଙ୍କ ନାଁରେ ଗଢିଉଠିଥିବା ଏହି ତେଲ ଟାଙ୍କି ନିକଟରେ ଏବେ ନେତା ଜଣଙ୍କ ୩୦/୪୦ ଏକର ଜମି କିଣିବା ସହିତ ସୁଦୃଶ୍ୟ କଲ୍ୟାଣ ମଣ୍ଡପ ଟିଏ ତିଆରି କରିଛନ୍ତି । ଅବଶ୍ୟ ଏଥିପାଇଁ ଜଳ ନିଷ୍କାସନ ପାଇଁ ଥିବା ଏକ ଜୋରକୁ ପୋତି ଦେଇଛନ୍ତି । ସବୁକିଛି କାମର ଅଦୃଶ୍ୟ କାରବାର ହୋଇଛି । କେହି ଜଣେ ହେଲେ ଏଭଳି ମଣ୍ଡପ, ତେଲ ଟାଙ୍କି ଓ ଜମିକିଣା ପଛରେ ମନ୍ତ୍ରୀଜଣଙ୍କ ଥିଲେ ବୋଲି ଜାଣିପାରିଲେ ନାହିଁ ।

ସରକାରୀ କାର୍ଯ୍ୟ ଅପେକ୍ଷା ବ୍ୟବସାୟରେ ଅଧିକ ମନୋନିବେଶ କରିବା ଫଳରେ ବାବୁଙ୍କୁ ଏଭଳି ସଫଳତା ମିଳିଛି । ଘଟଣାଟି ପଦାକୁ ଆସିଛି କିଛି ବିଜେପି କର୍ମୀଙ୍କ ଯୋଗୁଁ । ସ୍ଥାନୀୟ ଅଞ୍ଚଳର କିଛି ବିଜେପି କର୍ମୀ ତାଙ୍କ ନେତାଙ୍କୁ ଧରି ଚଣ୍ଡାଶୋକ କିଭଳି ତେଲଟାଙ୍କି ବସାଇଲେ ଓ ଜୋର ପୋତିଲେ ତାହା କହି ବୁଲୁଛନ୍ତି । ଅବଶ୍ୟ ଏହା ବଦଳରେ ବିଜେପି ଅଧିକ ଫାଇଦା ପାଇଥିବା ସେମାନେ କହୁଛନ୍ତି ।

ଟଙ୍କପାଣିରୋଡ୍ ରେ ଥିବା ଜଣେ ବିଜେପି ନେତା ତେଲ ଟାଙ୍କି କରିବା ପାଇଁ ଆଖେଇଥିଲେ । ସବୁକିଛି ଫାଇନାଲ ହୋଇଥିଲା । ହେଲେ ଚଣ୍ଡାଶୋକ ଏଭଳି ଗୋଟି ଚଳାଇଲେ ଯେ ସିଏ ବିଚରା ଶେଷ ମୂହୂର୍ତ୍ତରେ ଶିଶୁ ।ଳ ହୋଇଗଲେ । ଏହି ଘଟଣା ଏବେ କାନକୁ ଦି କାନ ହୋଇ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୂର୍ବରୁ ଜମି ବେପାର ଥିଲା, ଏବେ ତେଲ ଓ କଲ୍ୟାଣମଣ୍ଡପ ବେପାର । ନେତାଙ୍କ ବିଭାଗ ସେଭଳି ଓଜନିଆ ନୁହେଁ କି କୌଳିକ ବୃତ୍ତି ପୂଜାପାଠରୁ ଟଙ୍କାଟିଏ ଆୟ ନାହିଁ । ତେବେ ଏତେ ସମ୍ପତ୍ତିର ଅଧିକାରୀ କିଭଳି ହେଲେ ତାହାକୁ ନେଇ ଚର୍ଚ୍ଚା । ନେତାଙ୍କ ଘରପାଖର କିଛି ଯୁବକଙ୍କ କହିବା କଥା ଯେ ନିଜର କୌଳିକ ବୃତ୍ତିକୁ ବିକ୍ରିକରି ଦେଇଥିବା ଏହି ନେତା ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ କହି ଏଭଳି ସମ୍ପତ୍ତି ବଢାଇଛନ୍ତି ।

ଏ ସଂକ୍ରାନ୍ତରେ ଖୁବ୍‍ କମ୍‍ ଲୋକ ଜାଣିଥିଲେ ବି କେହି କିଛି କହୁନାହାନ୍ତି । ଅବଶ୍ୟ ଇତି ମଧ୍ୟରେ କିଛି ସୂଚନା ଅଧିକାରକର୍ମୀ ଚଣ୍ଡାଶୋକଙ୍କ ସମ୍ପତ୍ତି ଓ ସମ୍ପର୍କର ତାଲିକା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି ।

     ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )