Odia News Portal

ଦିଲ୍ଲୀ ଓଡିଶା ଭବନ କର୍ମଚାରୀଙ୍କ କ୍ରୀତଦାସ ଅବସ୍ଥା

ଭୁବନେଶ୍ୱର : ଦିଲ୍ଲୀ ଓଡିଶାଭବନ ଓ ଓଡିଶା ନିବାସରେ କାର୍ଯ୍ୟରତ କର୍ମଚାରୀମାନେ ଏବେ କେଉଁ ବର୍ଗର ତାହା ନିଜେ ଜାଣିପାରୁ ନାହାନ୍ତି । ଦିଲ୍ଲୀ ସରକାରଙ୍କ ସୌଜନ୍ୟରୁ ଯଦିଓ କିଛିଟା ଅଧିକ ପାରିଶ୍ରମିକ ପାଉଛନ୍ତି କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ । ବର୍ଷର ଅଧିକାଂଶ ଦିନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ବିଧାୟକ ଓ ଶାସନ ସଚିବମାନଙ୍କ ସେବାରେ ଲାଗିଥିବା କର୍ମଚାରୀମାନଙ୍କ ଉପରେ କାହାର ହେଲେ ଶୁଭଦୃଷ୍ଟି ପଡୁନାହିଁ । ଏମାନଙ୍କର ଅବସ୍ଥା କୌଣସି କ୍ରୀତଦାସ ଠାରୁ କମ୍‍ ନୁହେଁ ।

ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ଓଡିଶା ଭବନ, ଓଡିଶା ନିବାସ, ଓଡିଶା ସଦନ ଓ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଠିକା କର୍ମଚାରୀମାନେ ଖଟୁଥିବା ଚପରାଶି, ରୋଷେୟା, କ୍ୟାଟରିଙ୍ଗ୍‍, ମାଳି, ନିରାପତ୍ତାରକ୍ଷୀ, ଡ୍ରାଇଭର, ରୁମ୍‍ ବୟ ପ୍ରଭୃତିଙ୍କ ମାସିକ ପାଉଣା ମାସିକ ୭ରୁ ୮ ହଜାର ଟଙ୍କା ଥିଲା । ହେଲେ ଦିଲ୍ଲୀ ସରକାର ତାଙ୍କ ଅସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ସର୍ବନିମ୍ନ ବେତନ ୧୪ହଜାର ଟଙ୍କା କରିବା ସହିତ ଦିଲ୍ଲୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏହି ହାରରେ ଦରମା ପାଇବେ ବୋଲି କହିଛନ୍ତି ।

ଦିଲ୍ଲୀ ସରକାର ନିୟମ କରିବାପରେ ଓଡିଶା ସରକାର ଏହି ଅସ୍ଥାୟୀ କର୍ମଚାରୀଙ୍କ ପାଉଣା ମାସିକ ୧୪ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ତେବେ ଦିଲ୍ଲୀ ପରି ଏକ ମହଙ୍ଗା ସହରରେ ଓଡିଶା ସରକାରଙ୍କ ସେବା କରୁଥିବା କର୍ମଚାରୀମାନେ ମାସିକ ୭/୮ହଜାର ଟଙ୍କାରେ କିଭଳି ଜୀବନ ବିତାଉଥିଲେ ତାହା ରାଜ୍ୟ ସରକାର ବୁଝି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି କର୍ମଚାରୀମାନଙ୍କୁ ସରକାର ଘରଭଡା, ମହଙ୍ଗାଭତ୍ତା, ଯାତାୟତ ଭତ୍ତା, ମହାନଗର ଭତ୍ତା ଭଳି କୌଣସି ଭତ୍ତା ଦେଉନାହାନ୍ତି ।ଆର୍ଥିକ ଦୁରବସ୍ଥା ସାଙ୍ଗକୁ ଅନ୍ୟ ମୌଳିକ ସୁବିଧାରୁ ଏମାନଙ୍କୁ ବଞ୍ଚିତ କରାଯାଇଛି ।

ରାଜ୍ୟ ବାହାରେ ଖଟୁଥିବା ଏହି କର୍ମଚାରୀଙ୍କର କୌଣସି ଛୁଟି ନାହିଁ । ସାମୟିକ ଛୁଟି, ଅର୍ଜିତ ଛୁଟି ଏପରିକି ପର୍ବପର୍ବାଣି ଛୁଟିରୁ ଏମାନେ ବଞ୍ଚିତ । ଯିଏ ଛୁଟେି ର ଯେତେଦିନ ରହିବ ତାହାର ସେତିକି ଦିନର ପାଉଣା କାଟିଦିଆଯାଉଛି । ଲୋକସେବାଭବନ ଠାରୁ ଆରମ୍ଭକରି ଅନ୍ୟ ସମସ୍ତ ଦପ୍ତରରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଛୁଟି ଭଳି ମୌଳିକ ସୁବିଧା ମିଳୁଥିବାବେଳେ ଦିଲ୍ଲୀ କର୍ମଚାରୀ ଏଥିରୁ ବଞ୍ଚିତ । ଅବସ୍ଥା ଏଭଳି ହୋଇଛି ଯେ ଓଡିଶା ପୁଅ ଦେଶର ରାଜଧାନୀରେ କ୍ରୀତଦାସ ପରି ଚଳୁଛି । ତାହା ପୁଣି ଖୋଦ୍‍ ରାଜ୍ୟ ସକରାରଙ୍କ ନିୟବଣରେ ଥିବା ଦପ୍ତରରେ ସେବା ଯୋଗାଇ । ହାରି ଗୁହାରୀ ଶୁଣିବାକୁ କେହି ନାହିଁ ।

ଦିଲ୍ଲୀ ଗସ୍ତରେ ଯାଉଥିବା ମୁଖ୍ୟ ସଚିବ, ଗୃହ ସଚିବ, ମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ପାଖରେ ନେହୁରା ହୋଇ ହୋଇ ଏମାନେ ଭାଙ୍ଗିପଡିଲେଣି । ଦରଖାସ୍ତ ବାରମ୍ବାର ଦେଉଛନ୍ତି । ହେଲେ କେହି ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟ ସରକାର ମୋ ସରକାର ଓ ୫-ଟି ଭଳି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଦିଲ୍ଲୀରେ ଥିବା ଏହି କର୍ମଚାରୀଙ୍କ ଦାବି ପ୍ରତି ସହୃଦୟତାର ସହ ବିଚାର କରିବାକୁ ମତପ୍ରକାଶ ପାଉଛି ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )